ଦହି ସହିତ ଏସବୁ ଖାଉଛନ୍ତି କି, ହୋଇଯାଆନ୍ତୁ ସାବଧାନ…

ଦହି ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୁର। ତେବେ ଏହା ସହିତ କେତେକ ଖାଦ୍ୟ ଏକାଠି ନ ଖାଇବାକୁ ଚିକିତ୍ସକ ବାରଣ କରିଥାନ୍ତି। ଦହି ସହିତ ଖଟା ଫଳ ନ ଖାଇବାକୁ କୁହାଯାଇଥାଏ। ଦହିରେ ଥିବା ଲାକ୍ଟିକ୍‌ ଏସିଡ୍‌ ସହିତ ଖଟା ଫଳର ଏଞ୍ଜାଇମ୍‌ ବିପରୀତ ପ୍ରତିକ୍ରିୟା ସୃଷ୍ଟି କରିବାର ଆଶଙ୍କା ରହିଥାଏ। ଏହାଦ୍ୱାରା ପାଚନ କ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଦହି ସହିତ ଆମ୍ବ ଖାଇବା ଉଚିତ ନୁହେଁ। ଆମ୍ବ ଶରୀରକୁ ଗରମ କରୁଥିବାବେଳେ ଦହି ଥଣ୍ଡା କରିଥାଏ। ତେଣୁ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଦହି ସହିତ ବିରିରୁ ପ୍ରସ୍ତୁତ କୌଣସି ଖାଦ୍ୟ ନ ଖାଇବା ଭଲ। ବିରି ଗ୍ୟାସ୍‌ ସୃଷ୍ଟି କରୁଥିବାବେଳେ ଦହି ସହିତ ମିଶିବା ଦ୍ୱାରା ପେଟ ଫାମ୍ପି ହେବାର ଆଶଙ୍କା ରହିଥାଏ। ସେହିପରି ଦହି ସହିତ ଚିକେନ୍‌, ଖଜୁରୀ, ତେଲରେ ଛଣା ଅବା ଭଜା ହୋଇଥିବା ଖାଦ୍ୟ ଖାଇଲେ ଏସିଡ଼ିଟି ହୋଇଥାଏ। ଦହି ସହିତ କଦଳୀ ଖାଇଲେ ପାଚନ କ୍ରିୟା ଧୀମା ହୋଇଯାଇଥାଏ। ତେଣୁ ଏହାକୁ ଦହି ସହିତ ନ ଖାଇବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି।