ଦାଉ ସାଧିଲା ଅଦିନିଆ ବର୍ଷା: ଲକ୍ଷାଧିକ ହେକ୍ଟର ଫସଲ ନଷ୍ଟ ଆଶଙ୍କା

ଜଗତ୍‌ସିଂହପୁର ଅଫିସ୍‌, ୪।୧: ଚଳିତ ଖରିଫ ଋତୁରେ ଜଗତ୍‌ସିଂହପୁର ଜିଲାରେ ପ୍ରାୟ ୩,୪୪,୮୦୦ ମେଟ୍ରିକ୍‌ ଟନ୍‌ ଧାନ ଅମଳ ଲକ୍ଷ୍ୟ ରଖାଯାଇଥିବା ବେଳେ ଦାଉ ସାଧିଛି ଅଦିନିଆ ବର୍ଷା। ଶୁକ୍ରବାର ବର୍ଷା ଯୋଗୁ ସହସ୍ରାଧିକ ହେକ୍ଟର ଜମିରେ ଧାନ ଚକଡ଼ା ଓଦା ହୋଇ ପଡିରହିଛି। କେତେକ ସ୍ଥାନରେ ଧାନ କଟା ହୋଇ ନ ଥିବା ବେଳେ ବିଲରେ ପାଣି ଜମି ରହିଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ବର୍ଷକର ପରିଶ୍ରମ ସାଙ୍ଗକୁ ଋଣ ଚିନ୍ତା ଏବେ ଚାଷୀଙ୍କ ନିଦ ହଜାଇ ଦେଇଛି।
ଚଳିତ ଖରିଫ ଋତୁରେ ଜିଲାରେ ଚାଷୀମାନେ ୧୦୧୮, ସାରଳା, ପୂଜା ଓ ସ୍ବର୍ଣ୍ଣ ଚମ୍ପା ଆଦି ଅଧିକ ଅମଳକ୍ଷମ ଧାନ ଚାଷ କରିଛନ୍ତି। ଏହିସବୁ ଧାନ ୧୫୦ରୁ ୧୬୦ ଦିନ ଭିତରେ ଅମଳ ହେବାକଥା। ଗତ ଡିସେମ୍ବର ଶେଷରୁ ଧାନ କଟା ଆରମ୍ଭ ହୋଇଥିବା ବେଳେ ଚାଷୀମାନେ ଖୁବ୍‌ କମ୍‌ ପରିମାଣର ଧାନ ଖଳାକୁ ଆଣିଛନ୍ତି। ଅଧିକାଂଶ ବିଲରେ ଧାନ କଟା ହୋଇ ପଡ଼ି ରହିଥିବା ବେଳେ କେତେକ ସ୍ଥାନରେ ଧାନ ଗଛ ଛିଡା ହୋଇରହିଛି। ଗତ ୧ ତାରିଖ ରାତିରେ ଜିଲାରେ ସାମାନ୍ୟ ବର୍ଷା ହୋଇଥିଲା। ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଗୁରୁବାର କେତେକ ଚାଷୀ ତରବରିଆ ଭାବେ କଟା ଅବସ୍ଥାରେ ବିଲରେ ପଡିଥିବା ଧାନ ଉଠାଇ ଖଳାକୁ ନେଇ ଆସିଥିଲେ। ହେଲେ ଶୁକ୍ରବାର ସକାଳୁ ଜିଲାରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ବିଲରେ ପଡି ରହିଥିବା ଧାନ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।
ଏ ସମ୍ପର୍କରେ ନାଉଗାଁ ବ୍ଲକ ଗଳଧାରୀ ପଞ୍ଚାୟତ ଅଧୀନ ଏରଡ଼ା ଗ୍ରାମର ଅନ୍ତର୍ଯ୍ୟାମୀ ବିଶ୍ୱାଳ, ରାଜୀବ ନାୟକ, ସିରିଆ ଦାସ, ଅନାଦି ଗୋଛାୟତଙ୍କ ସମେତ ଜିଲାର ଅନେକ ଚାଷୀ କହିଛନ୍ତି, ବର୍ଷା ଯୋଗୁ ବର୍ଷକର ପରିଶ୍ରମ ବୃଥା ହେବାର ଭୟ ଦେଖାଦେଇଛି। ବିଲ ହଳ କରିବାଠାରୁ ଆରମ୍ଭ କରି ସାର, ଔଷଧ ଆଦିରେ ବହୁ ଖର୍ଚ୍ଚ ହୋଇଛି। ଏପରି କି ଅନେକ ଚାଷୀ ଋଣ କରି ଚାଷ କରିଛନ୍ତି। କିନ୍ତୁ ଏବେ ଏହି ଧାନ ବିଲରେ ଗଜା ହେବା ପରିସ୍ଥିତି ଉପୁଜିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ବର୍ଷା ଯୋଗୁ ବିଲ କାଦୁଅ ହୋଇଯାଇଥିବାରୁ କଟା ଧାନ ବୋହିବା କଷ୍ଟକର ହୋଇପଡ଼ିଛି। ସେହିପରି ମେଶିନ୍‌ ମିଳୁ ନ ଥିବାରୁ ଯେଉଁ ବଳକା ଧାନ କିପରି କଟା ହେବ ସେ ନେଇ ଚିନ୍ତା ବଢ଼ିଯାଇଛି। ବର୍ଷା ଲାଗି ରହିଲେ ବିଲରେ ଧାନ ଗଜା ହୋଇଯିବ। ଅନ୍ୟପଟେ ଗୋରୁ ଖାଇବା ପାଇଁ ଅଗମଳା, ନଡା ସଂଗ୍ରହ କରିବା କଷ୍ଟକର ହୋଇପଡିଲାଣି। ଚଳିତବର୍ଷ ଭଲ ଧାନ ହୋଇଥିବାରୁ ହେକ୍ଟର ପିଛା ୪୦ କୁଇଣ୍ଟାଲ ଅମଳ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏବେ ସବୁ ଆଶା ମଉଳିବାକୁ ବସିଲାଣି। ବାତ୍ୟା ଫନୀ ଓ ବୁଲବୁଲରେ ଚାଷୀ ପ୍ରଭୂତ କ୍ଷତି ସହିଥିଲେ। ଏବେ ପୁଣି ଅଦିନିଆ ବର୍ଷା ଚାଷୀକୂଳର ମେରୁଦଣ୍ଡ ଦୋହଲାଇ ଦେଇଥିବା ଚାଷୀମାନେ କହିଛନ୍ତି। ତେବେ ଏ ପରିସ୍ଥିତିରେ ସରକାର ବିଶେଷ ଧ୍ୟାନ ଦେବାକୁ ଦାବି ହୋଇଛି।

Share