ଦାଦନଙ୍କୁ ନେଇ ତେଜିଲା ରାଜନୀତି

ଲକ୍ଷ୍ନୌ/ନୂଆଦିଲ୍ଲୀ,୨୦।୫: ଦାଦନ ଶ୍ରମିକ ପ୍ରସଙ୍ଗକୁ ନେଇ ଉତ୍ତରପ୍ରଦେଶ(ୟୁପି)ରେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। କରୋନା ସଂକ୍ରମଣ ସମୟରେ ଲକ୍‌ଡାଉନ୍‌ ଯୋଗୁ ବାହାରେ କାମଧନ୍ଦା ହରାଇ ଭୋକ ଉପାସରେ ରହିଥିବା ଦାଦନ ଶ୍ରମିକମାନେ ଘରକୁ ଫେରିବା ଲାଗି ବ୍ୟାକୁଳ ହେଉଛନ୍ତି। ସେମାନଙ୍କୁ ତୁରନ୍ତ ଘରକୁ ଫେରାଇ ଅଣାଯିବା ଦରକାର ବୋଲି କଂଗ୍ରେସ କହିବା ସହ ୧୦୦୦ ବସ୍‌ରେ ସେମାନଙ୍କୁ ଅଣାଯିବା ଲାଗି ସୀମାରେ ଉତ୍ତରପ୍ରଦେଶ ସରକାରଙ୍କ ଅନୁମତି ଲୋଡ଼ିଥିଲା। ହେଲେ ଯୋଗୀ ସରକାର ଅନୁମତି ଦେବାରେ ବିଳମ୍ବ କରିବାରୁ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ପ୍ରତିପକ୍ଷ ଯୋଗୀ ସରକାରଙ୍କ ଉପରେ ବର୍ଷିଛନ୍ତି। ସେପଟେ କଂଗ୍ରେସ ଦେଇଥିବା ବସ୍‌ର ନାମ ସହ ନମ୍ବର ମେଳ ଖାଉନାହିଁ ଓ ଅନେକ ନମ୍ବର ଅଟୋ ଏବଂ ସ୍କୁଟର ଭଳି ଦୁଇଚକିଆ ଯାନର ବୋଲି ଯୋଗୀ ସରକାର ଅଭିଯୋଗ କରିଛନ୍ତି। କଂଗ୍ରେସ ଜାଣିଶୁଣି ଛଳନାତ୍ମକ ରାଜନୀତି କରୁଛି ବୋଲି ୟୁପି ସରକାର କହିଛନ୍ତି। କଂଗ୍ରେସ ଅନୁରୋଧକ୍ରମେ ଦାଦନ ଶ୍ରମିକଙ୍କ ଲାଗି ବସ୍‌ ଅନୁମତି ଦିଆଯାଇଥିବା ବେଳେ ଏଭଳି ବିବାଦ ଦେଖାଦେଇଛି। ବସ୍‌ଗୁଡ଼ିକର ପୂର୍ଣ୍ଣ ତଥ୍ୟ ଦେବାକୁ ସରକାର କଂଗ୍ରେସ ନେତାଙ୍କ କାର୍ଯ୍ୟାଳୟକୁ କହିଛନ୍ତି। ନୋଏଡା ଓ ଗାଜିଆବାଦ (ଦିଲ୍ଲୀ ସୀମା) ୫୦୦ ଲେଖାଏ ବସ ରଖାଯାଇ ଜିଲା ମାଜିଷ୍ଟେଟଙ୍କ ଯାଞ୍ଚ୍‌ ପରେ ଛଡ଼ାଯିବ ବୋଲି ସରକାର କହିବା ପରେ ପୁଣି ବିବାଦ ମୁଣ୍ଡ ଟେକିଛି। ପ୍ରିୟଙ୍କା କିନ୍ତୁ ତୁରନ୍ତ ବସ୍‌ଗୁଡ଼ିକୁ ପଠାଇବା ଲାଗି ଦାବି କରିଛନ୍ତି। ଫଳରେ ଭାଜପା ଓ କଂଗ୍ରେସ ନେତାଙ୍କ ମଧ୍ୟରେ ଏହାକୁ ନେଇ ବାଦବିବାଦ ଓ ବାକ୍‌ଯୁଦ୍ଧ ଦେଖାଦେଇଛି। ୟୁପି କଂଗ୍ରେସ ମୁଖ୍ୟ ଅଜୟ ଲାଲୁ ଲୋକଙ୍କୁ ମିଛକଥା କହି ସରକାର ଭ୍ରମରେ ପକାଉଛନ୍ତି ଓ ଏଭଳି କ୍ଷେତ୍ରରେ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଉତ୍ତରପ୍ରଦେଶ ମନ୍ତ୍ରୀ ସୁଦ୍ଧାର୍ଥ ନାଥ ସିଂ ସୋନିଆ ଗାନ୍ଧୀ ଦଳର ଏଭଳି ଧୋକାଦାରି ନେଇ ଉତ୍ତର ରଖନ୍ତୁ ବୋଲି କହିଛନ୍ତି। ଦାଦନ ଶ୍ରମିକମାନେ ଘରକୁ ଫେରିବା ଲାଗି ଅନାଇ ବସିଥିବା ଏଭଳି ରାଜନୈତିକ ବାକ୍‌ଯୁଦ୍ଧ ପରିସ୍ଥିତିକୁ ଉଷ୍ମ କରିପକାଇଛି।

Share