ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ନିଖୋଜ: ପ୍ରଶାସନ ପାଖରେ ଗୁହାରି କଲେ ଅସହାୟ ପରିବାର

ଭବାନୀପାଟଣା,୧୭।୫(ଡି.ଏନ୍‌.ଏ.): କଳାହାଣ୍ଡିରେ ଥମୁନି ଦାଦନ ଯନ୍ତ୍ରଣା। ଦାଦନ ଖଟିବାକୁ ଯିବାବେଳେ ଜଣେ ଶ୍ରମିକ ନିଖୋଜ ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ନିଖୋଜ ଶ୍ରମିକ ହେଲେ ଜୟପାଟଣା ବ୍ଲକ ରଣମାଲ ପଞ୍ଚାୟତ ଭୂର୍ଷିଗୁଡା ଗାଁର ଭରତ ଗହୀର (୪୨)। ଦାଦନ ଖଟିବାକୁ ଯାଉଥିବାବେଳେ ହାଇଦ୍ରାବାଦ ରେଳ ଷ୍ଟେଶନରେ ସେ ନିଖୋଜ ହୋଇ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତିି।
ସୂଚନାଯୋଗ୍ୟ, ଭରତ ଗାଁର ଅନ୍ୟ ୭ ଜଣ ସାଙ୍ଗଙ୍କ ସହ ଆନ୍ଧ୍ରପ୍ରଦେଶରେ ଦାଦନ ଖଟିବାକୁ ଗତ ୧୧ ତାରିଖରୁ ଘରୁ ବାହାରିଥିଲେ। ମାତ୍ର ହାଇଦ୍ରାବାଦ ରେଳ ଷ୍ଟେଶନରେ ପହଞ୍ଚତ୍ବା ପରେ ଭରତ ନିଖୋଜ ହୋଇଯାଇଥିଲେ। ସାଙ୍ଗମାନେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ଏ ସମ୍ପର୍କରେ ଭରତଙ୍କ ସାଙ୍ଗମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ଭରତଙ୍କ ନିଖୋଜ ଖବର ଶୁଣି ପରିବାର ଲୋକଙ୍କ ମଧ୍ୟରେ ନାନା ଆଶଙ୍କା ପ୍ରକାଶ ପାଇଛି। ଘରେ ସ୍ତ୍ରୀ ଶତନମୀ, ଝିଅ ଶିବାନୀ ଓ ବୃଦ୍ଧା ମା’ କୟା ଥିବା ବେଳେ ଭରତଙ୍କ ପୁଅ ବିଷ୍ଣୁ (୧୮) ମଧ୍ୟ ଦାଦନ ଖଟିବାକୁ ବିଜୟୱାଡା ଯାଇଛନ୍ତି। ଏଯାବତ୍‌ ନିଖୋଜ ଭରତଙ୍କ ସହ କୌଣସି ସମ୍ପର୍କ ହୋଇପାରିନାହିଁ। ଏପଟେ ନିଖୋଜ ଭରତଙ୍କୁ ଫେରାଇ ଆଣିବା ପାଇଁ ଅସହାୟ ପରିବାର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।