ଦାଦନ ଖଟିବାକୁ ଯାଇ ଜୁଆଙ୍ଗ ଯୁବକଙ୍କ ଜୀବନ ଗଲା : ପ୍ରଶାସନର ସହାୟତା ଲୋଡ଼ିଲେ ପରିବାର ଲୋକେ

କେନ୍ଦୁଝର,୨୫ା୫(ସ୍ବ.ପ୍ର.): ଜିଲାରେ କାମଧନ୍ଦା ମିଳୁ ନ ଥିବାରୁ ଜୁଆଙ୍ଗ ଓ ଭୂୟାଁ ପୀଢ଼ ଅଞ୍ଚଳର ବହୁ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନାନା ହଇରାଣ ହରକତ ହେଉଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ଉଚିତ୍‌ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏମିତି ଜଣେ ଯୁବକ ଗାୈତମ ଜୁଆଙ୍ଗ(୩୩) ଦାଦନ ଖଟିବାକୁ ଯାଇ ଘରକୁ ଫେରୁଥିବାବେଳେ ମହାରାଷ୍ଟ୍ରର ଅହମଦନଗର ଜିଲାର ବେଲାପୁର ଷ୍ଟେଶନ ନିକଟରେ ରେଳରେ କଟି ମୃତ୍ୟୁ ଘଟିଛି। ତାଙ୍କ ଘର ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଧରାପଡ଼ା ଗ୍ରାମରେ ବୋଲି ଜଣାପଡିଛି। ଏନେଇ ଖବର ପାଇବା ପରେ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିବା ବେଳେ ସହାୟତା ପାଇଁ ଶନିବାର ଜିଲା ଶ୍ରମ ବିଭାଗର ସହାୟତା ଲୋଡ଼ିଛନ୍ତି। ତାଙ୍କ ଭାଇ ଟୁକୁନା ଜୁଆଙ୍ଗଙ୍କ କହିବାନୁଯାୟୀ, ଗୌତମ ୪ ବର୍ଷ ହେଲା କାମ କରିବାକୁ ଯାଇଥିଲେ। ତେବେ ଏକ ଫୋନ୍‌ରେ ମୁମ୍ବାଇ ପୋଲିସଠାରୁ ତାଙ୍କର ମୃତ୍ୟୁ ଖବର ପାଇଥିଲେ। ସେ ଘରକୁ ଫେରିବାର ଥିଲା। ଏଣୁ ଟ୍ରେନରେ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି। ତାଙ୍କର ସ୍ତ୍ରୀ ଓ ୮ ବର୍ଷର ପୁଅ, ୬ ବର୍ଷର ଝିଅ ଅଛନ୍ତି। ଶ୍ରମ ବିଭାଗ ପକ୍ଷରୁ ମୃତଦେହ ଆଣିବାକୁ ପଦକ୍ଷେପ ନିଆଯାଉଛି। ତାଙ୍କ ସମ୍ପର୍କୀୟ ସହିତ ସାମାଜିକ କର୍ମୀ ଉକ୍ତ ସ୍ଥାନକୁ ଯାଉଛନ୍ତି। ପ୍ରଶାସନ ପକ୍ଷରୁ ସହାୟତା କରାଯାଉଛି। ମୃତଦେହ ଆସିବା ପରେ ସବୁ ଜଣାପଡ଼ିବ ବୋଲି ଜିଲା ଶ୍ରମ ଅଧିକାରୀ ଅଜୟ କୁମାର ପ୍ରଧାନ କହିଛନ୍ତି।