Advertisement

ଦାଦନ ଖଟିବାକୁ ଯାଇ ୪ ଯୁବକ ନିର୍ଯାତନାର ଶିକାର

ପାଟଣା,୧୦।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ବଡ଼ବିଲ ପଞ୍ଚାୟତ ଟଭାସରୁଆ ଗ୍ରାମର ୪ଜଣ ଯୁବକ ୩ ଜଣ ଦଲାଲଙ୍କ ଜରଆରେ ଦିଲ୍ଲୀ ଯାଇ ପରେ ରାଜସ୍ଥାନର ଆଇସ୍କ୍ରିମ ଫ୍ୟାକ୍ଟ୍ରିରେ ଦାଦନ ଖଟିିବା ବେଳେ ନିର୍ଯାତନାର ଶିକାର ହେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଦଲାଲମାନେ ଏମାନଙ୍କୁ ଗାଁରୁ ନେଇଯାଇ ଦିଲ୍ଲୀରେ ରହୁଥିବା ଜଣେ ଦଲାଲଙ୍କୁ ବିକ୍ରି କରିଦେଇଥିବା ସୂଚନା ପାଇବା ପରେ ୪ ଯୁବକଙ୍କ ମା’ ଖଇର ନାୟକ, ସୁମତି ମହାରଣା, ପାର ମାହାକୁଡ଼ ଓ ଇନ୍ଦୁମତୀ ମାହାକୁଡ଼ ପାଟଣା ଥାନାରେ ଗତ ୨୦ ତାରିଖରେ ଅଭିଯୋଗ କରିଥିଲେ। ଏହାମଧ୍ୟରେ ୩ ସପ୍ତାହ ବିତିବାକୁ ବସିଥିବା ବେଳେ ଏ ପର୍ଯ୍ୟନ୍ତ ପୋଲିସ ସେମାନଙ୍କୁ ଠାବ କରି ପାରି ନାହିଁ ା
ଏ ସମ୍ପର୍କରେ ଥାନା ଏଏସଆଇ ସୁଧାଂଶୁଶେଖର ଜେନାଙ୍କୁ ପଚାରିବାରୁ କହିଛନ୍ତି, ଅଭିଯୋଗ ନେଇ ତଦନ୍ତ ଜାରି ରହିଛି । ଟଭାସରୁଆ ଗ୍ରାମର ୩ ଦଲାଲ ଗତ ମେ ୨୦ ତାରଖରେ ଲଗେଶ ନାୟକ, ରାଜା ମହାରଣା,ବଳରାମ ମାହାକୁଡ଼ ଓ ସାଗର ମାହାକୁଡ଼ଙ୍କୁ ଏକ ମେଡ଼ିସିନ କମ୍ପାନୀରେ ମାସକୁ ୧୦ ହଜାର ଟଙ୍କା ଦରମାରେ ଚାକିରି କରାଇଦେବା କଥା କହି ଦିଲ୍ଲୀ ନେଇ ଯାଇଥିଲେ। ପରେ ସେମାନଙ୍କୁ ରାଜସ୍ଥାନ ନିଆଯାଇ ନିର୍ଯାତନା ଦିଆଯିବାରୁ ସେମାନେ କୌଶଳ କ୍ରମେ ଅନ୍ୟ ଲୋକଙ୍କ ଫୋନରୁ କଲ୍‌ କରି ସେମାନଙ୍କୁ ଉଦ୍ଧାର କରିବା ସକାଶେ ଘର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକଙ୍କ ସୂଚନା ଅନୁଯାୟୀ ରାଜସ୍ଥାନର ବୈଶାଳୀ ନଗର ଏକ ଆଇସ୍କ୍ରିମ ଫ୍ୟାକ୍ଟ୍ରି ରେ ଏହି ଯୁବକମାନେ ଅଢେଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି। ଫ୍ୟାକ୍ଟ୍ରି ମାଲିକ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି। ୪ ଯୁବକଙ୍କ ମା’ ବାପା ପିଲାମାନଙ୍କୁ ଉଦ୍ଧାର କରିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel