Categories: ଗଞ୍ଜାମ

ଦାଦାବଟିକୁ କେନ୍ଦ୍ରକରି ଯୁବକଙ୍କୁ ଖଣ୍ଡା ଚୋଟ

ବ୍ରହ୍ମପୁର ଅଫିସ,୧୫ା୧୦-ଦାଦାବଟି ମାଗିବା ସହ ଜଣେ ଯୁବକଙ୍କୁ ରବିବାର ରାତିରେ ଝରଣାନଗରରେ ୨ ଅଭିଯୁକ୍ତ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଆହତ ଯୁବକ ହେଲେ ରାଧାକାନ୍ତ ସାହିର ତୁଫାନ ଗୌଡ଼ ଓରଫ କାମିନୀ (୨୨)। ଅଭିଯୋଗ ପରେ ବଡବଜାର ପୋଲିସ ନଂ. ୧୭୪/୧୯ରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି। ଆହତ ତୁଫାନ ମଧ୍ୟ ଏକ ଅପରାଧୀ ଗ୍ୟାଙ୍ଗର ସଦସ୍ୟ ଅଟନ୍ତି। ତାଙ୍କ ନାମରେ ମଧ୍ୟ ଏକାଧିକ ମାମଲା ଥିବା ପୋଲିସ କହିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଏହି କାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି। ତୁଫାନ ରବିବାର ରାତି ପ୍ରାୟ ୮ଟାରେ ତାଙ୍କ ପିଉସୀ ରହୁଥିବା ଝରଣାନଗରକୁ ଯାଉଥିଲେ। ସେଠାରେ ତାଙ୍କୁ ଶିଶିର ଦାସ ଓ ତାଙ୍କ ସହଯୋଗୀ ଅଜୁ ସାହୁ ପ୍ରଥମେ ଅଟକାଇ ଦାଦାବଟି ମାଗିଥିଲେ। ସେ ମନା କରିବାରୁ ତାଙ୍କୁ ଏକ ଖଣ୍ଡାରେ ଅଭିଯୁକ୍ତମାନେ ଆକ୍ରମଣ କରିଥିଲେ ବୋଲି ତୁଫାନ ଥାନାରେ ଏତଲା ଦେଇଥିବା ପୋଲିସ କହିଛି। ଅନ୍ୟପଟେ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି।