ଦାଦାବଟିକୁ ନେଇ ସୋ’ରୁମ୍‌ରେ ଭଙ୍ଗାରୁଜା: ଇଟାମାଡ଼ରେ ସୋ’ରୁମ୍‌ ମାଲିକଙ୍କ ସମ୍ପର୍କୀୟ ଆହତ

ପୁରୀ ଅଫିସ,୧୫ା୭: ଦାଦାବଟିକୁ ନେଇ ପୁରୀ ଟାଉନ ଥାନା ଅଧୀନ ନରେନ୍ଦ୍ରକୋଣସ୍ଥିତ ଏକ ଗଦି ସୋ’ ରୁମ୍‌ରେ ସୋମବାର କେତେଜଣ ଦୃର୍ବୃତ୍ତ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ସେମାନେ ସୋ’ରୁମ୍‌ ଭିତରେ ପଶି ବିଭିନ୍ନ ଆସବାବପତ୍ର ନଷ୍ଟ କରିବା ସହ କାଚ ଝରକାକୁ ଭାଙ୍ଗିଦେଇଛନ୍ତି। ଏଥିସହ ବାହାରୁ ଇଟାମାଡ଼ କରିବାରୁ ସୋ’ରୁମ୍‌ ମାଲିକଙ୍କ ସମ୍ପର୍କୀୟ ଉଦ୍ଧବ ଚରଣ ପୃଷ୍ଟି (୬୫) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଛି। ସୋ’ରୁମ୍‌ ମାଲିକ ପ୍ରଭାତ କୁମାର ପାତ୍ରଙ୍କ ଏତଲା କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳକୁ ଯାଇ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ନରେନ୍ଦ୍ରକୋଣ ଚକଡ଼ା ନିକଟରେ ଏକ ନାମୀ କମ୍ପାନୀର ଗଦି ସୋ’ରୁମ୍‌ ରହିଛି। ଏହା ଉପରେ ଉକ୍ତ ଅଞ୍ଚଳର ଗୋଟିଏ ଗ୍ୟାଙ୍ଗର ନଜର ପଡ଼ିଥିଲା। ସେହି ଗ୍ୟାଙ୍ଗର ସଦସ୍ୟମାନେ ସୋ’ରୁମ୍‌ ମାଲିକଙ୍କୁ ମୋଟା ଅଙ୍କର ଅର୍ଥ ମାଗିଥିଲେ। ତେବେ ମାଲିକ ଏଥିରେ ରାଜି ହୋଇ ନ ଥିଲେ। ପରେ ପୁଣି ଥରେ ଦାଦାବଟି ନ ଦେଲେ ଏଠାରେ ଦୋକାନ କରିପାରିବ ନାହିଁ ବୋଲି ଧମକ ଦେଇଥିଲେ। ସୋମବାର ଅପରାହ୍ନ ପ୍ରାୟ ସାଢେ ୧ଟାରେ ସୋ’ରୁମ୍‌ରେ କେତେଜଣ କର୍ମଚାରୀ ଥିଲେ। ଏହି ସମୟରେ ଦୁଇଜଣ ଦୃର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ସୋ’ରୁମ୍‌ ଭିତରେ ପଶିଥିଲେ। ମାଲିକଙ୍କୁ ଡାକିବା ପାଇଁ କର୍ମଚାରୀମାନଙ୍କୁ କହିଥିଲେ। ମାଲିକ ବାହାରକୁ ଯାଇଥିବାରୁ ଆସିବା ବିଳମ୍ବ ହେବ ବୋଲି କର୍ମଚାରୀମାନେ କହିଥିଲେ। ଏଥିରେ ଦୃର୍ବୃତ୍ତ ଦ୍ୱୟ ଉତ୍‌କ୍ଷିପ୍ତ ହୋଇ ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିଥିଲେ। ବାହାର କାଚ ଝରକା ମଧ୍ୟ ବାଡ଼େଇ ଭାଙ୍ଗିଦେଇଥିଲେ। ଏତିକିରେ ସେମାନଙ୍କ ମନ ଶାନ୍ତ ପଡ଼ି ନ ଥିଲା। ବାହାର ପଟୁ ଇଟାମାଡ଼ କରିଥିଲେ। ସୋ’ରୁମ୍‌ ମାଲିକଙ୍କ ଦାଦା ଉଦ୍ଧବଙ୍କ ମୁଣ୍ଡରେ ଇଟାଖଣ୍ଡ ବାଜିଥିଲା। ଏଥିସହିତ କାଚଖଣ୍ଡ ଛିଟିକି ତାଙ୍କ ଦେହରେ ବାଜିଥିଲା। ଫଳରେ ସେ ଆହତ ହୋଇଥିଲେ। ଦାଦାବଟି ନ ଦେଲେ ବୋମା ପକାଇ ସୋ’ରୁମ୍‌ ଉଡ଼ାଇ ଦେବାକୁ ଧମକ ଦେଇ ସେମାନେ ଚାଲିଯାଇଥିଲେ। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ଦେବୀପ୍ରସାଦ ପାତ୍ର କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି। ସିସିଟିଭି ଯାଞ୍ଚ କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।

Share