ଦାଦାବଟି ମାଗିବା ସହ ବୋମାମାଡ଼ ମାମଲା : ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୨।୯: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅଞ୍ଚଳରେ ଦାଦାବଟି ମାଗିବା ସହ ଜଣେ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼ କରିଥିବା ମାମଲାର ଶୁଣାଣି କରି ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଏସିଜେଏମ୍‌ )ସରୋଜ କୁମାର ଦାସ ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ କଂସାରୀ ସାହିର କାଳିଆ ପାତ୍ର ଓ ସେ ଅଭିଯୋଗକାରୀଙ୍କ ପୁତୁରା ଅଟନ୍ତି। ଘଟଣାରୁ ପ୍ରକାଶ, କାଳିଆ ତାଙ୍କ ଦାଦା ତଥା ବ୍ୟବସାୟୀ ଏସ. ସତ୍ୟନାରାୟଣ ପାତ୍ରଙ୍କୁ ୨୦୧୨ ମସିହାରେ ୧ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ସତ୍ୟନାରାୟଣ ଏକଥା କାଳିଆଙ୍କ ମା’ଙ୍କୁ କହିଥିଲେ। ଏଥିରେ କାଳିଆ ରାଗିଯାଇ ଗତ ୨୦୧୨ ଜୁଲାଇ ୨ ତାରିଖ ରାତିରେ ଗଣପତି ନଗରରେ ରହୁଥିବା ସତ୍ୟନାରାୟଣଙ୍କ ଘରକୁ ଯାଇ ତାଙ୍କ ଉପରକୁ ବୋମାମାଡ଼ କରିଥିଲେ। ପରେ ବ୍ୟବସାୟୀ ପାତ୍ର ଏନେଇ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନମ୍ବର ୧୦୧/୧୨ ଅନୁସାରେ କାଳିଆଙ୍କୁ କୋର୍ଟ ଚାଲାଣ କରିଥିଲା। ପରେ ସେ ଜାମିନରେ ମୁକୁଳିଥିଲେ। ତତ୍କାଳୀନ ଏସ୍‌ଆଇ ଦୀପକ ଲେଙ୍କା କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲେ। ଗୁରୁବାର ଏହି ମାମଲାର ବିଚାର ପୂର୍ବକ ୧୨ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ଅଭାବରୁ ଏସିଜେଏମ୍‌ ସରୋଜ ଦାସ ଅଭିଯୁକ୍ତ କାଳିଆଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ପ୍ରସନ୍ନ ପାତ୍ର ଓ ମୁଦୁଲାଙ୍କ ପକ୍ଷରୁ ଆଇନଜୀବୀ ସୟଦ ଇକ୍‌ବାଲ ଓ ସଞ୍ଜୀବ ବେହେରା ମକଦ୍ଦମା ପରିଚାଳନା କରିଥିଲେ।