କାମାକ୍ଷାନଗର, ୨୫।୩(ଡି.ଏନ.ଏ.) – କରୋନା କଟକଣା ପାଇଁ ପ୍ରଭାବିତ ହୋଇଛି ସ୍ବାଭାବିକ ଜୀବନଯାତ୍ରା। ଅତି ଜରୁରୀ କାମ ନ ଥିଲେ ବାହାରକୁ ବାହାରିବାକୁ ଜାରି ହୋଇଛି କଡ଼ା ନିର୍ଦ୍ଦେଶ। ହେଲେ ଏମିତି ଅନେକ ଲୋକ ଅଛନ୍ତି, ଯାହାଙ୍କର ଘରୁ ଗୋଡ଼ ନ କାଢ଼ିଲେ ଜଳେନି ଚୁଲି। ଝାଳ ନ ବୁହାଇଲେ ଅପୋଷା ରହିଯାଏ ପେଟ, ଏମିତି ଗରିବ ଖଟିଖିଆଙ୍କ ଉପରେ ଦୁଃଖର ପାହାଡ଼ ହୋଇ ଛିଣ୍ଡିପଡ଼ିଛି କରୋନା। ହାତରେ କାମନାହିଁ। ସେପଟେ ପରିବାର ଅନାଇଛି ଫେରିବା ବାଟକୁ। ଏଭଳି ହଜାର ହଜାର ମେହନତି ମଣିଷଙ୍କ ରୋଜଗାର ପନ୍ଥା ବନ୍ଦ ହୋଇଯାଇଛି। ଏବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ କେବେ ସୁଧୁରିବ ସ୍ଥିତି, କେବେ ପୁଣି ଫେରିବ ସ୍ବାଭାବିକ ଅବସ୍ଥା।
ଢେଙ୍କାନାଳ ଜିଲାର କାମାକ୍ଷାନଗର। ଶ୍ରମଜୀବୀଙ୍କ ସହର ଭାବେ ପରିଚିତ ଏହି ସ୍ଥାନକୁ କାମ ଖୋଜିବାକୁ ଜିଲାର ବିଭିନ୍ନ ସ୍ଥାନରୁ ଧାଇଁ ଆସନ୍ତି ଗରିବ, ଖଟିଖିଆ, ଶ୍ରମିକ ଶ୍ରେଣୀର ଲୋକେ। ଏଠାକୁ ଆସିଲେ କେହି କେବେ ଖାଲି ହାତରେ ଫେରେନି। କେଉଁଠି ନା କେଉଁଠି ମିଳିଯାଏ କାମ। ହେଲେ ଏବେ କରୋନା ମାଡ଼ରେ ଦୋହଲି ଯାଇଛି ବ୍ୟବସ୍ଥା। ଖଁା ଖଁା ପରିବେଶ। ହୋଟେଲ ବନ୍ଦ। ଦୋକାନରେ ଝୁଲୁଛି ତାଲା। କାମ ଖୋଜିବାକୁ କଙ୍କଡ଼ାହାଡ଼ ବ୍ଲକ ବାଟଗାଁ ପଞ୍ଚାୟତ ଶାଳିଅ ଗ୍ରାମର ମଧୁ ଗୋପ ସକାଳୁ ସକାଳୁ ଧାଇଁ ଆସିଥିଲେ କାମାକ୍ଷାନଗର। ହେଲେ କାମ ମିଳିଲାନି। ଏବେ ମଧୁଙ୍କ ଗୋଟିଏ ଚିନ୍ତା କେମିତି ମିଳିବ କାମ। ଘରକୁ ଖାଲି ହାତରେ କେମିତି ଯିବେ। ପରିବାର ପାଇଁ ଦାନା ଯୋଗାଡ଼ କେଉଁଠୁ କରିବେ। ସମାନ କଥା ଦୋହରାଇଥିଲେ ମଧୁଙ୍କ ସାଙ୍ଗ ଗୁଲିଆ ସିର୍କା। ସେ କହିଥିଲେ ସହରରେ ରୋଗକୁ ନେଇ ଏତେ ସଚେତନତା। ଗଁାରେ କିଛି ନାହିଁ। ସେ ଯାହା ହେଉ ୫ଦିନ ଭୋକରେ ପଛେ ରହିବୁ ହେଲେ ଜୀବନ ବଞ୍ଚତ୍ୟାଉ। ଭୁବନ ବ୍ଲକ କଁସରଗୋଡ଼ା ଗ୍ରାମର ସାଲୁରାମ ହଁାସଦା କୁହନ୍ତି, ସେ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ। କରୋନା ପାଇଁ କଟକଣା ଲାଗିଥିବାରୁ ମାଲିକ ଫେରାଇଦେଲେ। ୫ଦିନ ପାଇଁ ଅଗ୍ରିମ ଅର୍ଥ ଦେଇଛନ୍ତି। ପୁଣି କାମ ଚାଲିଲେ ଡାକିବେ ବୋଲି କହିଛନ୍ତି। ସେହିପରି କାମାକ୍ଷାନଗର କାଦୁଆ ପଞ୍ଚାୟତ ମର୍କଟା ଗ୍ରାମର ଅଟୋରିକ୍ସା ଚାଳକ ମୁରଲୀ ପଧାନ କୁହନ୍ତି, ସକାଳୁ ରୋଜଗାର ଆଶାରେ ସହରକୁ ଆସିଥିଲେ। ଏଠି ଆସି ଦେଖିବା ବେଳକୁ ସବୁ ବନ୍ଦ। ନିରାଶରେ ଫେରିବାକୁ ପଡୁଛି। ଏପରି ସ୍ଥିତି କେତେଦିନ ରହିବ ଜଣାନାହିଁ। ସବୁ ଈଶ୍ୱରଙ୍କ ଇଚ୍ଛା। ସେ ହିଁ ବିପଦରୁ ରକ୍ଷା କରିବେ।
ଏହି ସମସ୍ୟା କେବଳ ମଧୁ, ଗୁଲିଆ, ସାଲୁରାମ କିମ୍ବା ମୁରଲୀଙ୍କର ନୁହେଁ। ଅଞ୍ଚଳର ଛୋଟବଡ଼ ବ୍ୟବସାୟୀ, ଠେଲା ଦୋକାନୀ, ଉଠାଦୋକାନୀଙ୍କୁ ମଧ୍ୟ ଘାରିଛି ପେଟପାଟଣା ଚିନ୍ତା। କରୋନା ସହ ଦୁନିଆ ଲଢ଼େଇ କରୁଥିବାବେଳେ ପେଟର ଭୋକ ସହ ନିତି ଲଢୁଥିବା ଏପରି ମେହେନତି ମଣିଷଙ୍କ କଥା କିଏ ବୁଝିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।