ଦାନ୍ତରେ ନଖ କାମୁଡ଼ିବା ଅଭ୍ୟାସ: କରୋନାକୁ ଆଣିବ ଡ଼ାକି !

ନୂଆଦିଲ୍ଲୀ୍‌,୧।୪: ସାରା ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଦାନ୍ତରେ ନଖ କାମୁଡୁଥିବା ଲୋକଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। କାରଣ ଏହି ଅଭ୍ୟାସ ଦ୍ୱାରା ସହଜରେ କରୋନା ସଂକ୍ରମଣ ହୋଇଥାଏ। ନ୍ୟୁୟର୍କର କାଲିଫର୍ନିଆର ଲେଙ୍ଗୋନ ମେଡ଼ିକାଲ ସେଣ୍ଟର ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ପ୍ରକାଶ ପାଇଛି। ନଖତଳେ ସହଜରେ ରୋଗ ସୃଷ୍ଟିକାରୀ ଅଣୁଜୀବ ରହିପାରିଥାନ୍ତି। ନଖ କାମୁଡ଼ିବା ସମୟରେ ପାଟିବାଟେ ଶରୀରରେ ସେସବୁ ପ୍ରବେଶ କରିଥାନ୍ତି। କରୋନାରୁ ଦୂରେଇ ରହିବା ଲାଗି ଏବେ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ସାନିଟାଇଜର ନଖ ତଳେ ପ୍ରବେଶ କରି ପାରେ ନାହିଁ। ତେଣୁ ଏହାତଳେ ରୋଗସୃଷ୍ଟିକାରୀ ଅଣୁଜୀବ ଆରାମରେ ରହିଥାନ୍ତି। ଅପରପକ୍ଷରେ କେବଳ ଭଲ ଭାବେ ହାତ ଧୋଇବା ଦ୍ୱାରା ହିଁ ନଖ ତଳ ମଧ୍ୟ ସଫା ହୋଇପାରିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ସାଧାରଣତଃ ଦାନ୍ତରେ ନଖ କାମୁଡ଼ିବାକୁ ଏକ ଶାରୀରିକ ସମସ୍ୟା ଭାବେ ଚିକିତ୍ସା ବିଜ୍ଞାନ ଗ୍ରହଣ କରିଥାଏ। ଏହାକୁ ଓବ୍ସେସିଭ୍‌ କମ୍ପଲସିଭ୍‌ ଡିଜ୍‌ଅର୍ଡର କୁହାଯାଇଥାଏ। କେହି କେହି ଏହାକୁ ହାଇପରଆକ୍ଟିଭ୍‌ ଆଟେନଶନ୍‌ ଡେଫିସିଟି ମଧ୍ୟ କହିଥାନ୍ତି। ଭାରତର ଅନ୍‌ ଟଚ୍‌ ନାମକ ଏକ କମ୍ପାନୀ ଲୋକଙ୍କ ମଧ୍ୟରେ ଥିବା ଏହି ଅଭ୍ୟାସ ଦୂର ଲାଗି ଏକ ଡିଭାଇସ୍‌ ତିଆରି କରିଛନ୍ତି। ଏହାକୁ ଅନ୍‌ ଟଚ୍‌ ବ୍ୟାଣ୍ଡ୍‌ ଭାବେ ନାମିତ କରାଯାଇଛି। ଦାନ୍ତରେ ନଖ କାମୁଡ଼ିଲେ ଏହି ବ୍ୟାଣ୍ଡ୍‌ରେ ଭାଇବ୍ରେଶନ ସୃଷ୍ଟି ହେବ। ଏହା ବ୍ୟାଣ୍ଡ ପିନ୍ଧିଥିବା ବ୍ୟକ୍ତିଙ୍କୁ ଏପରି ନ କରିବାକୁ ସତର୍କ ସୂଚନା ଦେବ।