ଦାବି ପୂରଣ ନ ହେବାରୁ ଦ୍ୱିତୀୟ ଦିନରେ ଟାଟାଖଣି ଶ୍ରମିକଙ୍କ ଧାରଣା

ଯୋଡ଼ା,୨୮।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ବିଛାକୁଣ୍ଡିସ୍ଥିତ ଟାଟା କମ୍ପାନୀର ମାଙ୍ଗାନିଜ ଖଣିର ଶତାଧିକ ଶ୍ରମିକ ଦାବି ପୂରଣ ନ ହେବାରୁ ଦ୍ୱିତୀୟ ଦିନରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।
ପ୍ରକାଶ ଯେ, ଶନିବାର ଅପରାହ୍ନରେ ବୋନସ ଦାବି କରି ୮ ଶହରୁ ଊର୍ଦ୍ଧ୍ୱ ଶ୍ରମିକ କମ୍ପାନୀର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଟାଟା କମ୍ପାନୀ ଦ୍ୱାରା ନିଯୁକ୍ତ ଖଣି ଠିକାସଂସ୍ଥା କରୋନେନ୍‌ ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍‌ କାର୍ଯ୍ୟ କରୁଥିବା ଖଣି ଶ୍ରମିକମାନଙ୍କୁ ଶତକଡା ୮.୩୩ ବୋନସ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଥିଲା । ମାତ୍ର ଶ୍ରମିକମାନେ ବୋନସ ପ୍ରଦାନରେ ନିଷ୍ପତ୍ତି ନିଆଯାଇଥିବା ଶତକଡା ୮.୩୩ ପ୍ରତିଶତଠାରୁ ଅଧିକ ଦାବି କରିଥିଲେ ହେଁ, ଠିକାସଂସ୍ଥା ଉକ୍ତ ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଶେଷରେ ଶ୍ରମିକମାନେ ପୁନର୍ବାର ଆନ୍ଦୋଳନ କରିଥିବା କହିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଯୋଡ଼ା ଥାନା ପକ୍ଷରୁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।