ଦାବି ପୂରଣ ନ ହେଲେ ପଡ଼ିବ ତାଲା: କୁଳପତିଙ୍କୁ ଦାବିପତ୍ର ଦେଲେ ଛାତ୍ରୀଛାତ୍ର

କେନ୍ଦୁଝର, ୨୨ା୮ (ସ୍ବ.ପ୍ର.)-ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କେନ୍ଦୁଝର ଜିଲା ମୁଖ୍ୟାଳୟ ଠାରେ ଥିବା ଦ୍ୱିତୀୟ କ୍ୟାମ୍ପସରେ ବ୍ୟାପକ ଅବ୍ୟବସ୍ଥା ନେଇ ଛାତ୍ରୀଛାତ୍ର ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏନେଇ ସେମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଜରିଆରେ କୁଳପତିଙ୍କୁ ସ୍ମାରକପତ୍ର ଦେଇ ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି। ୨୦ ଦିନ ମଧ୍ୟରେ ଦାବି ପୂରଣ କରା ନ ଗଲେ ବାଧ୍ୟ ହୋଇ ତାଲା ପକାଇ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଯାଇଥିବା ରାସ୍ତା ମରାମତି, ବିଭିନ୍ନ ବିଭାଗକୁ କମ୍ପ୍ୟୁଟର ଯୋଗାଣ, ଜିଓଲୋଜି ବିଭାଗର ଲାବରେଟୋରି ନିର୍ମାଣ, ଗାଡି ପାର୍କିଂ ବ୍ୟବସ୍ଥା, ସରକାରୀ ନିୟମାନୁଯାୟୀ ଫି’ ଛାଡ କରିବା, ସେମିନାର ହଲ ନିର୍ମାଣ, ଓ୍ବାଇ ଫାଇ ସୁବିଧା, ଆବଶ୍ୟକ ଅଧ୍ୟାପକ ନିଯୁକ୍ତି ଆଦି ବିଭିନ୍ନ ଦାବିରେ ଏହି ଆନ୍ଦୋଳନ କରିଛନ୍ତି। ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣରେ ବିଳମ୍ବ କରୁଥିବାରୁ ଛାତ୍ରୀଛାତ୍ର ତଥା ଅନ୍ୟ କର୍ମଚାରୀ ଯାତାୟାତରେ ସମସ୍ୟା ଭୋଗୁଥିବା କହିଛନ୍ତି। ସେହିପରି ରାସ୍ତାରେ ଆଲୋକ ବ୍ୟବସ୍ଥା ନ ଥିବାରୁ ଅନ୍ଧାରରେ ଯାତାୟାତ କରିବା ଛାତ୍ରୀଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡ଼ିଛି। ଏସମ୍ପର୍କରେ ଦାୟିତ୍ୱରେ ଥିବା ନିର୍ଦ୍ଦେଶକ ହୀରାଲାଲ ଦାଶ କହିଛନ୍ତି ଯେ, ପିଲାଙ୍କ ଦାବିପତ୍ରକୁ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନିକଟକୁ ପଠାଇଦିଆଯିବ ଏବଂ ସମସ୍ୟା ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ା