ଦାବି ପୂରଣ ପାଇଁ ଭିନ୍ନ ପନ୍ଥା ଆପଣାଇଲେ:ଗଛରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଗାଁସାଥୀ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ) : ଉତ୍କଳ ବିଶ୍ୱଦ୍ୟାଳୟର ପରିଜା ଲାଇବ୍ରେରୀ ଛାତ ଉପରୁ ଜଣେ ଯୁବକ ଆତ୍ମହତ୍ୟା ଧମକ ଦେବା ଘଟଣା ମନରୁ ନ ଲିଭୁଣୁ ସୋମବାର ଆଉଏକ ଘଟଣା ଲୋୟର ପିଏମ୍‌ଜିରେ ଦେଖିବାକୁ ମିଳିଥିଲା। ଆନ୍ଦୋଳନରେ ସାମିଲ୍‌ ହୋଇଥିବା ଜଣେ ଗାଁସାଥୀ ଦାବି ପୂରଣ ପାଇଁ ୩୦ ଫୁଟ ଉଚ୍ଚ ଗଛକୁ ଚଢି ଆତ୍ମହତ୍ୟା ଧମକ ଦେଇଥିଲେ। ସେ ହେଲେ ବଲାଙ୍ଗୀର ଜିଲା ସଦର ଥାନା ଅଞ୍ଚଳର ମଧୁ ଛତରିଆ। ଖବରପାଇ ଅଗ୍ନିଶମ ବାହିନୀ ତୁରନ୍ତ ଧାରଣାସ୍ଥଳରେ ପହଞ୍ଚତ୍ଥିଲେ। ପ୍ରଥମେ ଦୁଇଜଣ ଅଗ୍ନିଶମ କର୍ମଚାରୀ ସଂଶୟ କୁମାର ଦାହୁଡିଆ ଓ ବିକାଶ କୁମାର ଦାହୁଡ଼ିଆ ଏକ ଶିଡ଼ିରେ ଗଛକୁ ଚଢି ତାଙ୍କୁ କାବୁ କରି ରଖିଥିଲେ। ପରେ ବ୍ରୋନ୍‌ଟୋ ସ୍କାଏ ଲିଫ୍ଟ ମାଧ୍ୟମରେ ମଧୁଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣା ନେଇ ମଧୁ କହିଛନ୍ତି, ସେମାନେ ଦୀର୍ଘ ଦିନ ହେବ ଧାରଣା ସ୍ଥଳରେ ଭୋକ ଉପାସରେ ପଡିଥିଲେ ମଧ୍ୟ ସରକାର ତାଙ୍କ ଦୁଃଖ ଶୁଣୁନାହାନ୍ତି। ଦାବି ପୂରଣ ନ ହେଲେ ବଞ୍ଚତ୍କି କ’ଣ କରିବେ ବୋଲି ଭାବି ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲି।
ମିଳିଥିବା ସୂଚନାନୁସାରେ, ସ୍ଥାୟୀ ନିଯୁକ୍ତି ଓ ମାସିକ ୬ ହଜାର ପ୍ରୋତ୍ସାହନ ରାଶି ପ୍ରଦାନ ଆଦି ୫ ଦଫା ଦାବି ନେଇ ନଭେମ୍ବର ୪ରୁ ଗଁାସାଥୀ ସଂଘ ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି। ଇତିମଧ୍ୟରେ ୨୨ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଦାବି ପୂରଣ ହୋଇନି। ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହିତ ଦୁଇଥର ଆଲୋଚନା ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନି। ସୋମବାର ଶହ ଶହ ଗାଁସାଥୀ କଂଗ୍ରେସ ଭବନ ନିକଟରୁ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାଇଥିଲେ। ଅଧାବାଟରେ ପୋଲିସ ସେମାନଙ୍କୁ ଅଟକାଇବାରୁ ସେମାନେ ସେଠାରେ ଧାରଣାରେ ବସି ଦାବି ପୂରଣ ପାଇଁ ନାରାବାଜି ଦେଇଥିଲେ। ଅପରାହ୍ନ ପ୍ରାୟ ୪ଟା ୩୦ରେ ମଧୁ ଛତରିଆ ହଠାତ୍‌ ଧାରଣା ସ୍ଥଳରେ ଥିବା ଏକ ଗଛ ଉପରକୁ ଚଢି ଯାଇ ତଳକୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଚିତ୍କାର କରି କହିଥିଲେ। ତାଙ୍କୁ ଅନ୍ୟ ସାଥିମାନେ ଅଟକାଇଥିଲେ ମଧ୍ୟ ସେ କିଛି ଶୁଣି ନ ଥିଲେ। ସେଠାରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ଗଛକୁ ଚଢି ତାଙ୍କୁ ଉଦ୍ଧାର କରି ନ ଥିଲେ। ଶେଷରେ ଅଗ୍ନିଶମ ବିଭାଗକୁ ଫୋନ୍‌ରେ ଖବର ଦିଆଯାଇଥିଲା।

Share