ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ନାରୀ ନିର୍ଯାତନା ମୋସନକୁ ବାଚସ୍ପତି ଗ୍ରହଣ ନ କରିବାରୁ ଗତ ଦୁଇ ଦିନ ଧରି ଭାଜପାର ସଦସ୍ୟମାନେ ବିଧାନସଭାରେ ହଟ୍ଟଗୋଳ କରିବା ସହ ଗୃହକାର୍ଯ୍ୟରେ ସାମିଲ ହୋଇନାହାନ୍ତି। ଗତ ବୁଧବାର ଓ ଗୁରୁବାର ଦୁଇଦିନ ଦାବି ନେଇ ବିଧାନସଭାରେ ଭାଜପା ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। କିନ୍ତୁ ଶୁକ୍ରବାର ସଦସ୍ୟମାନେ ମଉନବ୍ରତ କରିଛନ୍ତି। ଏପରିକି ମୁହଁରେ କଳାକପଡ଼ା ବାନ୍ଧି ପ୍ରତିବାଦ କରିଛନ୍ତି। ଭାଜପା ସଦସ୍ୟ ଗୃହକାର୍ଯ୍ୟରେ ସାମିଲ ହୋଇ ନ ଥିଲେ ମଧ୍ୟ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହ ପରିଚାଳନା କରିଥିଲେ। ଭାଜପା ସଦସ୍ୟମାନଙ୍କୁ ମନାଇବା ଲାଗି ସର୍ବଦଳୀୟ ବୈଠକ ଡ଼ାକିଥିଲେ। ମାତ୍ର ବୈଠକରେ ଭାଜପା ସଦସ୍ୟଙ୍କୁ ମନାଇବାରେ ବାଚସ୍ପତି ବିଫଳ ହୋଇଛନ୍ତି।