ଦାମଙ୍କ ଇସ୍ତଫା ଦଳ ଉପରେ ପ୍ରଭାବ ପକାଇବ ନାହିଁ: ଅରୁଣ ସିଂ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଭାଜପାରେ ଦାମୋଦର ରାଉତଙ୍କୁ ଅଣଦେଖା କରାଯାଇନାହିଁ। ବରଂ ଦଳ ପକ୍ଷରୁ ତାଙ୍କୁ ସୁଯୋଗ ଦିଆଯାଇଥିଲା। ନିର୍ବାଚନ ଲଢ଼ିବାକୁ ଦଳ ତାଙ୍କୁ ଟିକେଟ ଦେଇଥିଲା। ମାତ୍ର ସବୁବେଳେ ଦଳ ଗୋଟିଏ ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇପାରିବ ନାହିଁ। ତେଣୁ ଦଳ ଯାହାକୁ ଟିକେଟ ଦେଉଛି, ତାଙ୍କର ଦଳ ପ୍ରତି ସମର୍ପଣ ଭାବ ପ୍ରଥମ କର୍ତ୍ତବ୍ୟ ହେବା ଜରୁରୀ। ଭାଜପାରୁ ଇସ୍ତଫା ଦେବା ଦାମଙ୍କ ନିଜସ୍ବ ନିଷ୍ପତ୍ତି। ତାଙ୍କର ବୟସ ହୋଇଯାଇଛି। ସ୍ବାସ୍ଥ୍ୟ ମଧ୍ୟ ଭଲ ରହୁନାହିଁ। ଏଣୁ ସେ ଯଦି ରାଜନୀତିରୁ ସନ୍ୟାସ ନେଇ ସମାଜସେବା କରିବାକୁ ମନ ବଳାଉଛନ୍ତି ତେବେ ତାଙ୍କୁ ଶୁଭକାମନା ବୋଲି ଭାଜପା ରାଜ୍ୟ ପ୍ରଭାରୀ ଅରୁଣ ସିଂ ବୁଧବାର କହିଛନ୍ତି। ଦାମଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି।
ସେହିଭଳି ଦାମ ଦଳ ତରଫରୁ ତାଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ ଆଣିବାକୁ ନେଇ ସେ କହିଛନ୍ତି, ଦଳୀୟ କାର୍ଯ୍ୟକ୍ରମରେ କାହାକୁ ଡକାଯାଏନି। ବରଂ ଦଳୀୟ କାର୍ଯ୍ୟକ୍ରମରେ ସମସ୍ତ ନେତା ଏବଂ କର୍ମୀଙ୍କୁ ନିଜେ ଯିବାକୁ ପଡେ ବୋଲି ଅରୁଣ କହିଛନ୍ତି।

ପ୍ରକାଶଯୋଗ୍ୟ, ଦାମ ଦଳରୁ ଇସ୍ତଫା ଦେବା ପରେ ନିଜର ଇସ୍ତଫାପତ୍ର ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି। ସେ ଭାଜପା ଉପରେ କ୍ଷୋଭ ପ୍ରକାଶ କରି କହିଛନ୍ତି, ନିଜକୁ ଦଳରେ ଅଲୋଡ଼ା ମନେ କରୁଛି। ନିର୍ବାଚନ ପରେ ଏବେ ଦଳୀୟ କାର୍ଯ୍ୟକ୍ରମରେ ମୋ ଉପସ୍ଥିତିକୁ କେହି ଆବଶ୍ୟକ ମନେ କରୁନାହାନ୍ତି। ୩୫ ବର୍ଷ ଧରି ବିଧାୟକ, ୬ଥର ମନ୍ତ୍ରୀ ହେବା ପରେ ବି ନିଜକୁ ଅଲୋଡ଼ା ଭାବୁଛି। ଏହା ମୋ ଭିତରେ ମାନସିକ ଅସନ୍ତୁଳନ ସୃଷ୍ଟି କରୁଛି। ଏଣୁ ସକ୍ରିୟ ରାଜନୀତିରୁ ସେ ସମ୍ପୂର୍ଣ୍ଣ ଅବ୍ୟାହତି ନେବାକୁ ବାଧ୍ୟ ହେଉଥିବା ଦାମ କହିଛନ୍ତି।

Share