ଦାରିଙ୍ଗବାଡ଼ିରେ କରୋନା ସନ୍ଦିଗ୍ଧ

ଦାରିଙ୍ଗବାଡ଼ି,୧୩।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଥିବା ସନ୍ଦେହ କରାଯାଇଛି। ସନ୍ଦିଗ୍ଧ ରୋଗୀଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଉକ୍ତ ବ୍ଲକର ହଜାର ହଜାର ସଂଖ୍ୟକ ଲୋକ କେରଳ ସହ ତାମିଲନାଡୁ ଏବଂ ଅନ୍ୟ ସହରରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। କରୋନା ଭୟରେ ତାମିଲନାଡୁରୁ ନିଜ ଘରକୁ ଫେରିଥିବା ଜଣେ ସନ୍ଦିଗ୍ଧ ଯୁବତୀ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ପ୍ରଥମେ ଡାକ୍ତର ତାଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ ପ୍ରକାଶ କରିଥିଲେ। ପରେ ତାଙ୍କୁ ଘରକୁ ଯିବାକୁ ପରାମର୍ଶ ଦେଇଥିଲେ। ଯୁବତୀ ଜଣଙ୍କୁ କରୋନା ଭୟ ରହିଥିବା କହୁଥିବା ବେଳେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ଦେହରେ କରୋନା ଭାଇରସ୍‌ ନ ଥିବା କହିଛନ୍ତି। ଘଟଣାକୁ ନେଇ ଦାରିଙ୍ଗବାଡ଼ି ଅଞ୍ଚଳରେ କରୋନା ଆକ୍ରାନ୍ତ ହୋଇଥିବା ଆଲୋଚନା ହେଉଛି। ଚିକିତ୍ସା କରୁଥିବା ଡାକ୍ତର ବଂଶୀଧର ପାତ୍ର ଏବଂ ଡାକ୍ତର ସମୀର ନାୟକ ଏଭଳି ମିଥ୍ୟା ଗୁଜବ ନ କରିବାକୁ ପରାମର୍ଶ ଦେବା ସହ କରୋନା ପାଇଁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ଯୁବତୀଙ୍କ ଘର ପର୍ତ୍ତମାହା ପଞ୍ଚାୟତ ଅଞ୍ଚଳର ଏକ ଦୁର୍ଗମ ଗ୍ରାମରେ ବୋଲି ଜଣାପଡ଼ିଛି।

Share