ଦାରିଙ୍ଗବାଡ଼ିରେ ତଳକୁ ଖସିଲା ପାରଦ: ଚାରିଆଡ଼େ ତୁଷାରପାତ, ବଢ଼ୁଛି ଶୀତ

ଦାରିଙ୍ଗବାଡ଼ି,୨୯।୧୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ରବିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ତାପମାତ୍ରା ତଳକୁ ଖସି ତୁଷାରପାତ ହେବା ସହ ଶୀତ ବଢ଼ିବାରେ ଲାଗିଛି। ଫଳରେ ଜନଜୀବନ ପ୍ରଭାବିତ ହେବା ସହ ଶୀତବସ୍ତ୍ର ନ ଥିବା ନେଇ ଗରିବ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡ଼ିରେ କୌଣସି ରାତ୍ର ଆଶ୍ରୟସ୍ଥଳ ନ ଥିବାରୁ ବିଭିନ୍ନ ସରକାରୀ ଏବଂ ବେସରକାରୀ କାର୍ଯ୍ୟରେ ଦାରିଙ୍ଗବାଡ଼ି ଆସିଥିବା ଲୋକ ବହୁ ହଇରାଣ ହେଉଛନ୍ତି। ଏ ନେଇ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ହଇରାଣ ହରକତ ହେଉଛନ୍ତି। ଦାରିଙ୍ଗବାଡ଼ି ଅଞ୍ଚଳର ସିମନବାଡ଼ି ଅଞ୍ଚଳରେ ଅଧିକ ତୁଷାରପାତ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ଆଂଶିକ ତୁଷାରପାତ ଦେଖାଯାଇଛି । ପୂର୍ବରୁ ତୁଷାରପାତ ନେଇ ପୂର୍ବାନୁମାନ କରାଯାଇଥିବା ବେଳେ ତୁଷାରପାତ ଦେଖିବା ପାଇଁ ପର୍ଯ୍ୟଟକମାନେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି।

Share