ଦାରିଙ୍ଗବାଡ଼ିରେ ପଥରଖୋଲରୁ ବାହାରୁଛି ଡିଜେଲ: ବୋତଲ, ଜାର୍‌ ଧରି ଲୋକଙ୍କ ଭିଡ଼

ଦାରିଙ୍ଗବାଡ଼ି,୮।୨(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ଲଦପାଙ୍ଗା ଅଞ୍ଚଳରେ ଏକ ପଥରଖୋଲ ଭିତରୁ ଶନିବାର ଡିଜେଲ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ। ଏକ ଚାଷ ଜମିରେ ଥିବା ପଥରଖୋଲ ମଧ୍ୟରୁ ସ୍ବତଃପ୍ରବୃତ୍ତ ପାଣି ସହ ଡିଜେଲ ବାହାରୁଛି । ଏହାକୁ ସଂଗ୍ରହ କରିବା ଲାଗି ଲୋକେ ବୋତଲ, ଜାର୍‌ ଧରି ଭିଡ଼ ଲଗାଇଛନ୍ତି। ଡିଜେଲ ବାହାରୁଥିବା ସ୍ଥାନଠାରୁ ମାତ୍ର ୪ ଶହ ମିଟର ଦୂରରେ ଏକ ପେଟ୍ରୋଲ ଟାଙ୍କି ରହିଛି । ଉକ୍ତ ଟାଙ୍କିରୁ ଲିକେଜ୍‌ ହୋଇ ଡିଜେଲ ଆସୁଥିବା ଚର୍ଚ୍ଚା ହେଉଥିବା ବେଳେ ଏନେଇ ପେଟ୍ରୋଲ ଟାଙ୍କି ମାଲିକ ଅରୂପ କୁମାର ସାହୁ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ତାଙ୍କ ପେଟ୍ରୋଲ ଏବଂ ଡିଜେଲ ମହଜୁଦ ଠିକ୍‌ ରେକର୍ଡ଼ ରହିଛି।
ସୂଚନାଯୋଗ୍ୟ, ସକାଳେ ଲୋକେ ଉକ୍ତ ପଥରଖୋଲ ନିକଟରେ ରହିଥିବା ଏକ ଚୁଆକୁ ଗାଧୋଇବାକୁ ଯିବା ସମୟରେ ଡିଜେଲ ଗନ୍ଧ ଆସୁଥିବା ଜାଣି ପାରିଥିଲେ। ପରେ ଉକ୍ତ ପାଣିକୁ ଛାଣିବା ପରେ ସେଥିରୁ ଡିଜେଲ ବାହାରୁଥିବା ଜଣାପଡ଼ିଥିଲ। ଏହାକୁ ସଂଗ୍ରହ କରିବା ଲାଗି ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା। ଭିଡ଼କୁ ଦେଖି ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି। ସେହିପରି ଜମି ମାଲିକ ଦୈତାରୀ ପଡ୍ରା ପୂର୍ବରୁ ପକାଇଥିବା ଧାନତଳି ଏବେ ନଷ୍ଟ ହୋଇଯାଇଥିବା କହିଛନ୍ତିି ।

Share