ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୩।୧୨(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ରବିବାର ଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବଡ଼ଦିନ ପାଇଁ ଛୁଟି ଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଭୋରରୁ ଦାରିଙ୍ଗବାଡ଼ିରେ ଭିଡ଼ ଜମାଇଛନ୍ତି। ପାହାନ୍ତିଆ ଶୀତର ମଜା ନେବାକୁ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ କଫି ବଗିଚା ସମେତ ନେଚରପାର୍କ, ହିଲ୍‌ଭିୟୁ ପାର୍କ, ମିଡ଼ିୟୁବାନ୍ଦା ଜଳପ୍ରପାତ, ସାଇଲେଣ୍ଟ ଭ୍ୟାଲି, କିରିକୁଟି ପ୍ରକୃତି ଲଭର୍ସ ପଏଣ୍ଟ, ଡୁଲୁରୀ ପାଇନ ବଣ ଆଦି ସ୍ଥାନରେ ଭିଡ଼ ଜମାଇଥିଲେ। ବୁଲାବୁଲି କରିବା ସହ ବଣଭୋଜି ମଧ୍ୟ କରିଥିଲେ। ତେବେ କିଛି ପର୍ଯ୍ୟଟକ ଦାରିଙ୍ଗବାଡ଼ିର ପ୍ରକୃତିକୁ ଭଲପାଇ ପ୍ରତିବର୍ଷ ଆସୁଥିବାବେଳେ ଏହାର ବିକାଶ ହେଉ ନ ଥିବା ଦେଖି ଉଦ୍‌ବେଗ ପ୍ରକାଶ କରିଥିଲେ। ଏବେବି ଦାରିଙ୍ଗବାଡ଼ିରେ ଶୀତ ଲହରୀ ଅବ୍ୟାହତ ରହିଛି। କିନ୍ତୁ ଦିନକୁଦିନ ପାଣିପାଗରେ ପରିବର୍ତ୍ତନ ସହ ପରିବେଶ ପ୍ରଦୂଷଣ, ଜଙ୍ଗଲ କ୍ଷୟ ଯୋଗୁ ପର୍ଯ୍ୟଟକଙ୍କ ମନରେ ନିରାଶାଭାବ ଦେଖିବାକୁ ମିଳିଛି। ବିଭିନ୍ନ ପର୍ଯ୍ୟଟନକେନ୍ଦ୍ର ଗୁଡ଼ିକରେ ଗଦାଗଦା ଅଳିଆ, ପଲିଥିନ, ଖାଲି ପ୍ଲାଷ୍ଟିକ୍‌ ବୋତଲ ସହ ଅଇଁଠା ଖଲି ଦେଖି ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ରବିବାର ମଧ୍ୟ ଦାରିଙ୍ଗବାଡ଼ିରେ ତାପମାତ୍ର ୧୦ ଡିଗ୍ରୀ ତଳେ ରହିଥିଲା। ପାହାନ୍ତିଆ ଏବଂ ସନ୍ଧ୍ୟା ସମୟରେ ଅଧିକ ଶୀତ ଅନୁଭୂତ ହେଉଛି। ବହୁ ପର୍ଯ୍ୟଟକଙ୍କ ସମାଗମ ଯୋଗୁ ଏମିତି ପରିସ୍ଥିତି ହୋଇଥିଲା ଯେ, ବଣଭୋଜି ପାଇଁ ସ୍ଥାନର ଅଭାବ ପରିଲକ୍ଷିତ ହୋଇଥିଲା। ଦାରିଙ୍ଗବାଡ଼ିରେ ରାତ୍ରିଯାପନ ପାଇଁ ବ୍ୟବସ୍ଥା ସହ ଲୋକଙ୍କ ପାଇଁ ଗୋଷ୍ଠୀ ଶୌଚାଳୟ ବ୍ୟବସ୍ଥା କରାଗଲେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ପର୍ଯ୍ୟଟକଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି। କିଛି ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସି ହଇରାଣ ହେଉଥିବା କହିଛନ୍ତି। ପର୍ଯ୍ୟଟକମାନେ କନ୍ଧମାଳ ହଳଦୀ ସମେତ କ୍ଷୁଦ୍ରଦାନା ଶସ୍ୟ ସମେତ ଏଠାରେ କୃଷିଜାତ ଦ୍ରବ୍ୟ ଅମଳ ସାମଗ୍ରୀକୁ ମଧ୍ୟ କ୍ରୟ କରି ନେଉଛନ୍ତି। ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଥିବା ଆଇଆଇସି କୌଶିକ ମାଝୀ କହିଛନ୍ତି।

Share