ଦାରିଙ୍ଗବାଡ଼ିରେ ପୁଣି ତୁଷାରପାତ, ତାପମାତ୍ରା ୭ ଡିଗ୍ରୀ

ଦାରିଙ୍ଗବାଡ଼ି,୧୨।୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ରବିବାର ପୁଣି ତୁଷାରପାତ ହୋଇଛି। ଶନିବାର ତାପମାତ୍ରା ୯ ଡିଗ୍ରୀ ତଳେ ରହିଥିବା ବେଳେ ରବିବାର ସକାଳେ ୭ ଡିଗ୍ରୀ ହୋଇଛି। ଦାରିଙ୍ଗବାଡ଼ି ସମେତ ଦାସିଂବାଡ଼ି,କାଣ୍ଡାପା,ସିମନବାଡ଼ି, କିଲାବାଡି,ଲଦପଙ୍କା,ଗ୍ରୀନବାଡ଼ି,ଦାସିକେତା,ପ୍ଳିହେରୀ ଆଦି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ତୁଷାରପାତ ହୋଇଛି। ପର୍ଯ୍ୟଟକମାନେ ଏହି ତୁଷାରପାତର ମଜା ନେଇଛନ୍ତି। ଶୀତ ପୁଣି ଫେରିଥିବାରୁ ଲୋକେ କାମଧନ୍ଦାକୁ ଯାଇପାରି ନ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ କିଛିଦିନ ହେଲା ତାପମାତ୍ରା ବୃଦ୍ଧି ପାଇ ୧୫ ଡିଗ୍ରୀରେ ପହଞ୍ଚିଥିଲା। ତେବେ ପାଗ ମେଘୁଆ ଯୋଗୁ ଦିନରେ କୋହଲା ପବନ ବହିବା ସହ ରାତିରେ ସାମାନ୍ୟ ଥଣ୍ଡା କମୁଥିଲା। ପାଗ ଶୁଖିଲା ସହ ଶନିବାର ସକାଳୁ ଘନ କୁହୁଡ଼ି ଆଚ୍ଛାଦିତ ହୋଇଥିବା ବେଳେ ଅପରାହ୍ନରୁ ଶୀତର ପ୍ରକୋପ ଧୀରେ ଧୀରେ ବୃଦ୍ଧି ପାଇବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।