Categories: ଗଞ୍ଜାମ

ଦାରିଙ୍ଗବାଡ଼ିରେ ପ୍ରକୃତି ବଞ୍ଚାଇବାକୁ ଉଦ୍ୟମ, ସାମୁହିକ ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୮।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ବନାଞ୍ଚଳର ସାରିଙ୍ଗିଇର୍ପି ପାହାଡ଼ ନିକଟରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହାକୁ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଜନଜାତି ସଂପ୍ରଦାୟର ସିମନବାଡ଼ି ବନଶ୍ରୀ କଳାପରିଷଦର କଳାକାରମାନେ ପାରମ୍ପରିକ ନୃତ୍ୟ ସହ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ନୂତନ ଜଙ୍ଗଲ ସୃଷ୍ଟି ଏବଂ ଏହାର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଇଥିଲେ। ଚଳିତ ବର୍ଷ ଦାରିଙ୍ଗବାଡ଼ି ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରିବାକୁ ଲୋକଙ୍କ ମନରେ ଜାଗ୍ରତ ସୃଷ୍ଟି ହୋଇଛି। ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ବନପାଳ ମନ୍ମଥ ପରିଚ୍ଛା, ହରିହର ବେହେରା, ରବିମୋହନ ନାୟକ, ଚିତ୍ତରଞ୍ଜନ ଦେହୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା।