Categories: କନ୍ଧମାଳ

ଦାରିଙ୍ଗବାଡ଼ିରେ ପ୍ରବଳ ବର୍ଷା: ନାଳରେ ଭାସିଯିବା ବେଳେ ଯୁବକ ଉଦ୍ଧାର

ଦାରିଙ୍ଗବାଡ଼ି,୭।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଛି। ସକାଳ ୭ଟାରୁ ବର୍ଷା ଆରମ୍ଭ ହୋଇ ଅପରାହ୍ନରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଥିଲା। ଅଞ୍ଚଳର ସମସ୍ତ ଛୋଟବଡ଼ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ଚାଷ ଜମି ଜଳମଗ୍ନ ହୋଇପଡିଛି। ବିଭିନ୍ନ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଥିବା ସୂଚନା ମିଳିଛି। ସିମନବାଡ଼ିରେ ୧୨୦ମିମି ଓ ଦାରିଙ୍ଗବାଡ଼ିରେ୯୦ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। କାରିପାଙ୍ଗା ଗ୍ରାମର ମୁନା ପ୍ରଧାନ ଘରକୁ ଫେରୁଥିବା ବେଳେ ଡ୍ରେନରେ ଭାସିଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ସିମନବାଡ଼ି ଠାରୁ ରାଇକିଆ ପୂର୍ତ୍ତ ବିଭାଗ ରାସ୍ତାର ଗଦଡ଼ି ପୋଲ ସମେତ ଟିକାପାଟା ପୋଲ ଉପରେ ଜଳମଗ୍ନ ଯୋଗୁ ଗାଡ଼ି ଚଳାଚଳରେ ବାଧାସୃଷ୍ଟି ହୋଇଛି। ସେହିପରି ଡକରବାଡ଼ି ଦେଇ ଲାରିବାଡ଼ି, ରାଇକିଆ ରାସ୍ତାକୁ ସଂଯୋଗ କରୁଥିବା ଲାରିବାଡ଼ି ପୋଲର ସଂଯୋଗୀକରଣ ରାସ୍ତା କଂକ୍ରିଟ ଦବି ଯାଇ ଯାତାୟତରେ ବିପଦ ସୃଷ୍ଟି ହୋଇଛି।