Categories: କନ୍ଧମାଳ

ଦାରିଙ୍ଗବାଡ଼ିରେ ଶୀତ ଉତ୍ସବ

ଦାରିଙ୍ଗବାଡ଼ି,୯ା୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଶୀତ ଉତ୍ସବ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଉତ୍ସବର ଆବାହକ ତଥା ଅଧ୍ୟକ୍ଷ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ସାଲୁଗା ପ୍ରଧାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟ ଅତିଥିଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ବୌଦ୍ଧ ଜିଲାର ଗାଳ୍ପିକ ତଥା ଶିକ୍ଷାବିତ୍‌ ଇଂ. ସଞ୍ଜୟ କୁମାର ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀ ମିଶ୍ର, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲାର ବିଭିନ୍ନ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶୀତ ଉତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ, ବରିଷ୍ଠ ନାଗରିକ ରମେଶ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ଜ୍ୟୋତିରାଜ ପ୍ରଧାନ, କାଳୀପ୍ରସାଦ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଭୁବନେଶ୍ବରରୁ ଆସିଥିବା କଳାକାର ପ୍ରିୟବ୍ରତ ପଣ୍ଡା, ଐଶ୍ବର୍ଯ୍ୟା ବେହେରା। ବ୍ୟଙ୍ଗକବି ରବୀନ୍ଦ୍ର ରାଉତ, ସତ୍ୟବ୍ରତ ପାଣିଗ୍ରାହି, ଟିଭି କଳାକାର ଜଗା ପଣ୍ଡା ପ୍ରମୁଖ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଏହି ଅବସରରେ ସ୍ମରଣିକା ‘ହିମକନ୍ୟା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।