ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬.୫ ରେକର୍ଡ: ବଢ଼ୁଛି ଶୀତ, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୭।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ଶୀତ ଆହୁରି ଅଧିକ ବଢ଼ିବା ସହ ତାପମାତ୍ରା ହ୍ରାସ ପାଇଛି। ସକାଳ ୮ଟା ସୁଦ୍ଧା ପାରଦ ୬.୫ ଡିଗ୍ରୀକୁ ଖସିଛି। ଶୁକ୍ରବାର ଉକ୍ତ ଅଞ୍ଚଳରେ ପାରଦ ୭ ଡିଗ୍ରୀ ରହିଥିଲା, ଯାହାକି ପୁଣି ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ଆକାଶ ମେଘାଚ୍ଛନ ରହୁଥିବାବେଳେ ଶୁକ୍ରବାର ସନ୍ଧ୍ୟାଠାରୁ ନିର୍ମଳ ରହିଛି। ଫଳରେ ଦିନକୁ ଦିନ ଶୀତ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଶୀତ ଲଗାତାର ରହିବା ସହ ପାରଦ ଖସିଲେ ତୁଷାରପାତ ହେବା ପୂର୍ବାନୁମାନ କରାଯାଇଛି। ଦିନରାତିରେ ପ୍ରାୟ ସମାନ ତାପମାତ୍ରା ରହୁଛି ବୋଲି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଶୀତ ବୃଦ୍ଧି ଯୋଗୁ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ଏହାଠାରୁ ଆହୁରି କମ୍‌ ତାପମାତ୍ରା ରହିଥିବା କୁହାଯାଇଛି।

Share