Categories: ଗଞ୍ଜାମ

ଦାରିଙ୍ଗବାଡ଼ି ଅଞ୍ଚଳରେ ସୁଧୁରୁନି ପରିବହନ ବ୍ୟବସ୍ଥା: ଧରିତ୍ରୀରେ ଖବର ପ୍ରକାଶ ପରେ ବିଭାଗୀୟ ତତ୍ପରତା

ଦାରିଙ୍ଗବାଡ଼ି,୩୦।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ସହ ଯାନବାହନ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ଶନିବାର ସନ୍ଧ୍ୟାରେ ରାସ୍ତା ବ୍ଲକିଂ କରାଯାଇ ଯାନବାହନ ଯାଞ୍ଚ କରାଯାଇଛି । ଆଇଆଇସି ଅଲେଖ ଗରଡ଼ିଆ ସଦଳବଳେ ଏହି ଯାଞ୍ଚ କରିଛନ୍ତି । ଦୁର୍ଘଟଣା ରୋକିବା ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଅଭିଯାନ ଚାଲିଥିବା ବେଳେ ବର୍ତ୍ତମାନ ଏ ନେଇ ଦୃଢ଼ ପଦକ୍ଷେପ ନିଆଯାଉଛି ବୋଲି ପୋଲିସ କହିଛି । ଗାଡ଼ିଚାଳକ ମଦ ପିଇ ବିଭିନ୍ନ ସମୟରେ ଘଟାଉଥିବା ଦୁର୍ଘଟଣାକୁ ରୋକିବା ପାଇଁ କନ୍ଧମାଳ ଏସ୍‌ପି ପ୍ରତୀକ ସିଂ ଏବଂ ବାଲିଗୁଡ଼ା ଏସ୍‌ଡିପିଓ ବିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ଗରଡ଼ିଆ ଦୃଢ଼ ପଦକ୍ଷେପ ନେଇ ଡ୍ରାଇଭିଂ ଲାଇସେନ୍ସ ସହ ଗାଡ଼ି କାଗଜପତ୍ର ଯାଞ୍ଚ କରିଛନ୍ତି । ଏଥିରେ ପ୍ରାୟ ୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ଆଇଆଇସି କହିଛନ୍ତି ।
ସେହିପରି ଉପାନ୍ତ ଅଞ୍ଚଳକୁ ଯାତାୟାତ କରୁଥିବା ସରକାରୀ ବସ୍‌ ଉପରେ ଯାତ୍ରୀବୁହା ଘଟଣାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ହାତୀମୁଣ୍ଡାଠାରୁ ଫୁଲବାଣୀ ଭାୟା ଦାରିଙ୍ଗବାଡ଼ି ଦେଇ ଯାଉଥିବା ବସ୍‌ର ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ କାର୍ଯ୍ୟାଳୟରୁ ଯେଉଁ ପର୍ଯ୍ୟନ୍ତ ନିର୍ଦ୍ଦେଶ ନ ମିଳିଛି ସେପର୍ଯ୍ୟନ୍ତ କାର୍ଯ୍ୟରୁ ନିବୃତ୍ତ କରାଯାଇଥିବା ଏମ୍‌ଭିଆଇ ଗତିକୃଷ୍ଣ ସାମନ୍ତରାୟ କହିଛନ୍ତି। ପରବତ୍ତର୍ର୍ୀ ଶୁଣାଣି ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଜାରି ରହିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଅଞ୍ଚଳରେ ପରିବହନ ବ୍ୟବସ୍ଥା ସୁଧୁରୁ ନ ଥିବା ନେଇ ଗୁରୁବାର ଧରିତ୍ରୀରେ ଖବର ପ୍ରକାଶିତ ହୋଇଥିଲା। ଏହାପରେ ଉଭୟ ବିଭାଗ ତପତ୍ରତା ଦେଖାଇଛନ୍ତି ।