ଦାରିଙ୍ଗବାଡ଼ି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଛନ୍ତି ୫୬୫ ପ୍ରବାସୀ: ଡାକ୍ତରଙ୍କ ଦ୍ୱାରା ନିୟମିତ କରାଯାଉଛି ସ୍ବାସ୍ଥ୍ୟ ପରୀକ୍ଷା

ଦାରିଙ୍ଗବାଡ଼ି,୪।୬(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରରେ ମୋଟ ୭୪୩ ପ୍ରବାସୀ ରହିଥିଲେ। ସେମାନଙ୍କ ମଧ୍ୟରୁ ଅଦ୍ୟାବଧି ୧୭୮ ପ୍ରବାସୀ ନିଜ ଘରକୁ ଫେରିଥିବା ଜଣାପଡ଼ିଛି। ଏହି ସମସ୍ତ ପ୍ରବାସୀ ଦାରିଙ୍ଗବାଡ଼ି ବ୍ଲକ ସମେତ ଜିଲାର ବିଭିନ୍ନ ଅଞ୍ଚଳର। ଏବେ ଆହୁରି ୫୬୫ ପ୍ରବାସୀ ୯ଟି କୋଭିଡ୍‌ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହିଛନ୍ତି।
ଉକ୍ତ ବ୍ଲକରେ ମୋଟ ୨୫ଟି ପଞ୍ଚାୟତ ରହିଥିବା ବେଳେ ୪୪ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇଛି। ଏବେ ସୁଦ୍ଧା ୯ଟି କେନ୍ଦ୍ର ଚାଲିଛି। ସେମାନଙ୍କୁ ଖାଦ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଆଯାଉଥିବା ବେଳେ ନିୟମିତ ସ୍ବାସ୍ଥ୍ୟପରୀକ୍ଷା କରାଯାଉଥିବା ଭ୍ରାମ୍ୟମାଣ ଡାକ୍ତର ଦଳର ଡା. ଅମ୍ବିକାପ୍ରସାଦ ଶତପଥୀ କହିଛନ୍ତି। ନିୟମିତ ପ୍ରବାସୀମାନେ ଫେରୁଥିବା ବେଳେ ଏହି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଛନ୍ତି। ତେବେ ସେମାନଙ୍କୁ ନିୟମିତ ରୋଷେଇକରି ଖାଇବାକୁ ଦେବାକୁ ରୋଷେୟାର ଅଭାବ ଦେଖାଦେଇଛି। ତେଣୁ ଏବେ ଜାଗୃତି ପକ୍ଷରୁ କିଛି ପ୍ରବାସୀଙ୍କୁ ରନ୍ଧାଖାଦ୍ୟ ପ୍ରସ୍ତୁତି କରି ଦିଆଯାଉଥିବାବେଳେ ଆଉ କିଛି କେନ୍ଦ୍ରକୁ ହୋଟେଲରୁ ଖାଦ୍ୟ ଆଣି ଦିଆଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଗକୁ ଆହୁରି ପ୍ରବାସୀ ଫେରିବାକୁ ଥିବାବେଳେ ରନ୍ଧାଖାଦ୍ୟ ଯୋଗାଇବାକୁ ରୋଷେୟା ଯୋଗାଡ଼ ପାଇଁ ଉଦ୍ୟମ କରାଯାଉଛି। ଏଥିପାଇଁ ଲୋକେ ରାଜି ହେଉ ନ ଥିବା ବିଡିଓ ଜଗଦିଶ ଷଡ଼ଙ୍ଗୀ କହିଛନ୍ତି।

Share