ଦାରୁଠେଙ୍ଗ ଡମ୍ପିୟାର୍ଡ ପାଇଁ ନନ୍ଦନକାନନର ଜୀବ ମରୁଛନ୍ତି

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠସ୍ଥିତ ଡାରୁଠେଙ୍ଗ ଗ୍ରାମଠାରେ ସମଗ୍ର ଭୁବନେଶ୍ୱର ମହାନଗର ନିଗମର ଅଳିଆ ଓ ଆର୍ବଜନା ପାହାଡ଼ ପରି ଗଦା କରିଦିଆଯାଉଛି। ଏଥିପାଇଁ ସେହି ପାଖାପାଖି ଅଞ୍ଚଳ ଗୁଡିକର ପରିବେଶ ଅତ୍ୟନ୍ତ ପ୍ରଦୂଷିତ ହୋଇପଡ଼ିଛି ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅଭିଯୋଗ କରିଛନ୍ତି, ଯେଉଁଥିପାଇଁ ନନ୍ଦନକାନନର ବହୁ ପଶୁ, ପକ୍ଷୀ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଯଦି ତୁରନ୍ତ ଏହାର ସମାଧାନ କରା ନ ଯିବ ତେବେ ଆସନ୍ତା ୨୫ରେ ଆନ୍ଦୋଳନ କରାଯିବ ବୋଲି ସେ ଅଭିଯୋଗ କରିଛନ୍ତି।
କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୁରେଶ କହିଛନ୍ତି ଯେ, ଦୀର୍ଘଦିନ ହେବ ସେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ମଧ୍ୟ ରାଜ୍ୟ ସରକାର ଏ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି। ବାରମ୍ବାର ଆନ୍ଦୋଳନ ଏବଂ ପ୍ରତିବାଦ ସଭା କରାଯାଇଛି। ଆନ୍ଦୋଳନରେ ଅଂଶଗ୍ରହଣ କରି ସେଠିକାର ୫୦ରୁ ଊର୍ଦ୍ଧ୍ୱ ବାସିନ୍ଦା ମାସ ମାସ ଧରି ଜେଲଦଣ୍ଡ ଭୋଗିଛନ୍ତି। ଏବେ ପରିସ୍ଥିତି ଅଣାୟତ୍ତ ହୋଇଗଲାଣି। ଏହି ପ୍ରଦୂଷଣ ଫଳରେ ବହୁଲୋକ ମୃତ୍ୟୁବରଣ କଲେଣି। ମୁଖ୍ୟ ପ୍ରସଙ୍ଗ ହେଉଛି, ଏହି ଅଳିଆ ଗଦା ଭାରତ ବିଖ୍ୟାତ ନନ୍ଦନକାନନର ପଶୁପକ୍ଷୀଙ୍କୁ ଆକ୍ରାନ୍ତ କରୁଛି। ଏଥିରୁ ଜନ୍ମିତ ଭୂତାଣୁ ଦ୍ୱାରା ୫ଟି ହାତୀ, ଗଣ୍ଡା, ନୀଳଗାଈ, ହରିଣ, ଧଳା ବାଘ, ଡେଲେରା ମୂଷା ଓ ଅନ୍ୟାନ୍ୟ ପଶୁପକ୍ଷୀ ମୃତ୍ୟୁବରଣ କରିଥିବା ସ୍ଥଳେ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ପଶୁପକ୍ଷୀଙ୍କର ମୃତ୍ୟୁର କାରଣ ଦାରୁଠେଙ୍ଗସ୍ଥିତ ଅଳିଆ ଗଦା ବୋଲି ପ୍ରକାଶ ନ କରି ସରକାରଙ୍କ ଚାପରେ ନୀରବ ରହିଛନ୍ତି। କେବଳ ଦାରୁଠେଙ୍ଗ, ପଟିଆ, ରଘୁନାଥପୁର, ଚନ୍ଦକା, ଅନ୍ଧାରୁଆ, ପାଇକେରାପୁର, କଣ୍ଟାବାଡ଼, ମେଣ୍ଢାଶାଳ ଅଞ୍ଚଳର ବାସିନ୍ଦା ନୁହନ୍ତି ଭାରତ ପ୍ରସିଦ୍ଧ ନନ୍ଦନକାନନର ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଦାରୁଠେଙ୍ଗସ୍ଥିତ ଡମ୍ପିଂୟାଡ଼କୁ ସ୍ଥାନାନ୍ତରିତ କରିବା ପାଇଁ ଜଟଣୀ ବିଧାୟକ ଦାବି କରିଛନ୍ତି। ଏହାର ପ୍ରତିକାର କରା ନ ଗଲେ ଆସନ୍ତା ୨୫ ତାରିଖ ଦିନ ୧୦ଟା ସମୟରେ ନନ୍ଦନକାନନ ଗେଟ୍‌ ନଂ-୨ରେ ଧାରଣା ଦିଆଯିବ। ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ଥାନୀୟ ଜନସାଧାରଣ ସକ୍ରିୟ ଭାବେ ଭାଗନେଇ ଆନ୍ଦୋଳନକୁ ସଫଳ କରିବାକୁ ସୁରେଶ କୁମାର ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ପ୍ରସଙ୍ଗରେ ବିଧାନସଭାରେ ସୁର ରାଉତରାୟ ବାରମ୍ବାର ଅଭିଯୋଗ ଆଣିଥିଲେ।

Share