Categories: ବାଣିଜ୍ୟ

ଦାୟିତ୍ୱବାନ ବାଣିଜ୍ୟ ନେଇ ରାଷ୍ଟ୍ରପତିଙ୍କ ଆହ୍ବାନ

ମୁମ୍ବାଇ,୬-୧୦: ଘରୋଇ ବଜାରରେ ଦାୟିତ୍ୱବାନ ବାଣିଜ୍ୟ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଆହ୍ବାନ ଜଣାଇଛନ୍ତି। ଭାରତକୁ ନିବେଶର ଏକ ଗନ୍ତବ୍ୟସ୍ଥଳ ଭାବେ ଗଢି ତୋଳିବା ଲାଗି କମ୍ପାନୀ ଆଇନର କାର୍ଯ୍ୟାନ୍ବୟନ ଜରୁରୀ ବୋଲି ସେ କହିଛନ୍ତି। ଏହି ଦିଗକୁ କିଭଳି ଭାବେ ଭାରତ ବିଚାର କରୁଛି ତାହା ମଧ୍ୟ ଦେଖିବାକୁ ହେବ। କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ (ଆଇସିଏସ୍‌ଆଇ)ର ୫୧ ତମ ସ୍ଥାପନା ଦିବସରେ ଅଭିଭାଷଣ ରଖି କୋବିନ୍ଦ କହିଛନ୍ତି, ବାଣିଜ୍ୟ ଅଂଶଦାରମାନେ ଲାଭ ଏବଂ ଲାଭଖୋର ମନୋବୃତ୍ତି ନେଇ ଠକିବା ଭଳି ପ୍ରସଙ୍ଗ ମଧ୍ୟରେ ରହିଥିବା ପ୍ରଭେଦକୁ ଜାଣିବା ଉଚିତ। ଏକ୍ଷେତ୍ରରେ ସଚେତନତା ସୃଷ୍ଟି ଲାଗି କମ୍ପାନୀ ସେକ୍ରେଟେରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ଦାୟିତ୍ୱବାନ ବାଣିଜ୍ୟ ଏବଂ ସନ୍ତୁଳିତ ଅର୍ଥନୈତିକ ଲକ୍ଷ୍ୟ ଦିଗରେ ଅଂଶୀଦାରଙ୍କୁ ଏଭଳି ପ୍ରସଙ୍ଗଗୁଡିକ ଉପରେ ନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ରଖିଛନ୍ତି।
ରାଷ୍ଟ୍ରପତି କହିଛନ୍ତି, କେତେକ ବାଣିଜ୍ୟ ସଂସ୍ଥା ଲୋକଙ୍କ ବିଶ୍ୱାସକୁ ଭାଙ୍ଗିଛନ୍ତି। ଫଳରେ କମ୍ପାନୀ ସ୍ଥାଣୁ ହୋଇଛି କିମ୍ବା ଦେବାଳିଆ ସ୍ଥିତିକୁ ଚାଲି ଯାଇଛି। ମାତ୍ର ଏହି ଧାରାରେ ଲୋକମାନେ ହଇରାଣ ଭୋଗୁଛନ୍ତି। କମ୍ପାନୀ ସେକ୍ରେଟାରୀମାନେ ଗଭର୍ନାସ ପ୍ରଫେଶନାଲ ଭାବେ କାର୍ଯ୍ୟ କରୁଥିବାରୁ ବୃହତ୍ତ ସମାଜିକ ଏବଂ ଅର୍ଥନୈତିକ ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିବାକୁ ହେବ। ସ୍ବଚ୍ଛତା, ଉତ୍ତରଦାୟିତ୍ୱ, ସାଧୁତା ଏବଂ ସହଂତି ଭଳି ଦିଗରେ କାମ କଲେ କର୍ପୋରେଟ ଗଭର୍ନାସ ସଫଳ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଏହି ନିୟମଗୁଡିକ କିଭଳି କାର୍ଯ୍ୟାନ୍ବୟନ ହେବ ତାକୁ ପ୍ରଫେଶନାମାନେ ବିଚାର କରିବାର ଆବଶ୍ୟକତା ଆସିଛି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବୋଲ, କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଆଇସିଏସ୍‌ଆଇ ଅଧିକାରୀମାନେ ଯୋଗ ଦେଇଥିଲେ।

Share