ଦାୟିତ୍ୱ ନେଲେ ଡିଜିପି ଅଭୟ: ୬ ଦିଗ ଉପରେ ଦେବେ ପ୍ରାଧାନ୍ୟ

କଟକ ଅଫିସ, ୧୦।୧୨:ରାଜ୍ୟରେ ଆଉ ଚାଲିବନି ମାଫିଆ ରାଜ। ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୧୯୮୬ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ଅଭୟ ସୋମବାର କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା କହିଛନ୍ତି। ପୂର୍ବାହ୍ନରେ ଅଭୟ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ବରିଷ୍ଠ ପୋଲିସ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିବା ପରେ ସେ ମୁଖ୍ୟାଳୟ ପରିସରରେ ଥିବା ଶହୀଦ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ତାଙ୍କୁ ତାଙ୍କ ନୂଆ ଚାମ୍ବରକୁ ପାଛୋଟି ନିଆଯାଇଥିଲା। ସେଠାରେ ଅନ୍ତରୀଣ ଡିଜି ଭାବେ କାର୍ଯ୍ୟ ତୁଲାଉଥିବା ସତ୍ୟଜିତ ମହାନ୍ତି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।
ଦାୟିତ୍ୱ ଗ୍ରହଣ କରିବା ପରେ ଅଭୟ ତାଙ୍କ କାର୍ଯ୍ୟପନ୍ଥା ବିଷୟରେ ଖବରଦାତାଙ୍କୁ ଅବଗତ କରାଇଥିଲେ। ମୁଖ୍ୟତଃ ୬ଟି ଦିଗକୁ ସେ ପ୍ରାଧାନ୍ୟ ଦେବେ ବୋଲି କହିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ମୋ ସରକାର ଯୋଜନାରେ ଲୋକମାନଙ୍କ ଅଭିଯୋଗର ସମାଧାନକୁ ବିଶେଷ ଗୁରୁତ୍ୱ ଦିଆଯିବ। ସେହିପରି ୫-ଟି ଦ୍ୱାରା ପୋଲିସ କାର୍ଯ୍ୟରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି। ଉନ୍ନତମାନର ତଦନ୍ତ କରି ମହିଳାଙ୍କ ପ୍ରତି ବଢୁଥିବା ଅପରାଧ ନିୟନ୍ତ୍ରଣକୁ ଆଣିବା ଉପରେ ଗୁରୁତ୍ୱ ଦିଆଯିବା ସହ ମାଓବାଦୀ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା କାର୍ଯ୍ୟ ତ୍ୱରାନ୍ବିତ ହେବ। ରାଜ୍ୟରେ ଚାଲିଥିବା ମାଫିଆମାନଙ୍କୁ ଦୃଢ଼ହସ୍ତରେ ଦମନ କରାଯିବ ଓ ପୋଲିସର ତଦନ୍ତ ମାନକୁ ବୃଦ୍ଧି କରାଯିବ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ଅଭୟ ପୋଲିସ ବିଭାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଜର ଦକ୍ଷତା ପ୍ରତିପାଦନ କରିସାରିଛନ୍ତି। ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ହାଇଦ୍ରାବାଦସ୍ଥିତ ଜାତୀୟ ପୋଲିସ ଏକାଡେମୀରେ ଡିଜି ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ତଳେ ବିଜୟ କୁମାର ଶର୍ମାଙ୍କୁ ଏହି ପଦବୀରୁ ହଟାଯିବା ପରେ ସତ୍ୟଜିତ୍‌ ମହାନ୍ତି ଅନ୍ତରୀଣ ଡିଜି ଭାବେ କାର୍ଯ୍ୟ କରୁଥିଲେ।

Share