ଦିଅଁ ଦର୍ଶନରେ କଟିଲା ଦିନ: କପିଳାସ ପୀଠରେ ୩୦ହଜାର ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧।୧: ଇଂଲିଶ ନବବର୍ଷର ବୁଧବାର ଥିଲା ପ୍ରଥମ ଦିନ। ଏହାକୁ ନେଇ ସବୁଠି ଦେଖାଦେଇଥିଲା ବିପୁଳ ଉତ୍ସାହ। ପରିବାର, ସାଙ୍ଗସାଥୀଙ୍କ ଶୁଭମନାସି ଦିଅଁ ଦର୍ଶନରୁ ଆରମ୍ଭ ହୋଇଥିଲା ପ୍ରଥମ ଦିନ।
ନବବର୍ଷ ଉପଲକ୍ଷେ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ପ୍ରବଳ ଜନସମାଗମ ହୋଇଥିଲା। ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉ ଏବଂ ମାତା ପାର୍ବତୀଙ୍କୁ ଦର୍ଶନ କରିଥିଲେ। ଠାକୁରଙ୍କ ଦର୍ଶନ ପାଇଁ ଦିନ ତମାମ ମନ୍ଦିର, ପାହାଚ ରାସ୍ତା, ଘାଟିରାସ୍ତାରେ ଲମ୍ବା ଧାଡ଼ି ଲାଗିଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରସାଦ ସେବନ ମଧ୍ୟ କରିଥିଲେ। ଉପଜିଲାପାଳ ତଥା ଜିଲା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ପୀଠରେ ଠାକୁରଙ୍କୁ ଦର୍ଶନ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସଶସ୍ତ୍ର ପୋଲିସ ମୁତୟନ କରାଯାଇଥିଲା। ସେହିପରି ଦିଅଁ ଦର୍ଶନ ପରେ ଅନେକେ କପିଳାସ ପାଦ ଦେଶରେ ବଣଭୋଜି କରି ମଜା ନେବା ସହ ଚିଡ଼ିଆଖାନା, ବିଜ୍ଞାନ ଉଦ୍ୟାନ ବୁଲି ଦେଖିଥିଲେ। ସେହିପରି ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟା, ଶ୍ରୀବଳରାମ ପୀଠ, ମା’ ବ୍ରହ୍ମାୟଣୀ ଦେବୀ, ଦକ୍ଷୀଣକାଳୀ ମନ୍ଦିର, ଶ୍ୟାମାଚରଣପୁରସ୍ଥିତ ସାଇ ଶ୍ରୀକ୍ଷେତ୍ରରେ ମଧ୍ୟ ନବବର୍ଷ ଉପଲକ୍ଷେ ପ୍ରବଳ ଭିଡ଼ ହୋଇଥିଲା।

Share