ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାରେ ଦମ୍ପତିଙ୍କଠାରୁ ଲୁଟ୍‌: ଚଳନ୍ତା ବାଇକ୍‌ରୁ ଟଙ୍କା ଛଡ଼ାଇବା ବେଳେ ଖସିପଡ଼ି ମହିଳା ଗୁରୁତର

ଦିଗପହଣ୍ଡି,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତା ଅନଙ୍ଗପୁର ଗ୍ରାମ ନିକଟରେ ଗୁରୁବାର ପୂର୍ବାହ୍ନରେ ଜଣେ ଦମ୍ପତିଙ୍କଠାରୁ ୩୫ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।୨ଜଣ ଅଜଣା ଦୁର୍ବୃତ୍ତ ଚଳନ୍ତା ବାଇକ୍‌ରୁ ମହିଳାଙ୍କ ବ୍ୟାଗ୍‌ ଟାଣି ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ମହିଳାଜଣକ ହେଲେ ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଧୀନ ଖମାରିଗାଁ ପଞ୍ଚାୟତ ସେବକ ଟିକରପଡ଼ା ଗ୍ରାମର ସୁମିତ୍ରା ଗୌଡ଼(୪୫)। ସେ ଏବେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ସୂଚନାନୁଯାୟୀ, ପୂର୍ବାହ୍ନ ୧୦ଟାରେ ସ୍ବାମୀ ସନ୍ତୋଷ ଗୌଡ଼ଙ୍କ ସହ ସୁମିତ୍ରା ବାଇକ୍‌ରେ ଦିଗପହଣ୍ଡି ବସ୍‌ଷ୍ଟାଣ୍ଡସ୍ଥିତ ଆନ୍ଧ୍ର ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ଏଟିଏମ୍‌ରୁ ଟଙ୍କା ଉଠାଇବା ପରେ ସନ୍ତୋଷ ଟଙ୍କା ବ୍ୟାଗ୍‌କୁ ସ୍ତ୍ରୀ ସୁମିତ୍ରାଙ୍କୁ ଦେଇଥିଲେ। ସେଠାରୁ ସୁମିତ୍ରାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଏକ ବାଇକ୍‌ରେ ସେମାନଙ୍କୁ ପିଛା କରିଥିଲେ। ସେମାନେ ଅନଙ୍ଗପୁର-ଦିଗପହଣ୍ଡି ମୁଖ୍ୟରାସ୍ତାରେ ଅଟକାଇ ସୁମିତ୍ରାଙ୍କ ହାତରୁ ବ୍ୟାଗ୍‌ ଛଡ଼ାଇ ନେବାକୁ ଚେଷ୍ଟା କରିବା ଯୋଗୁ ସେ ତଳେ ପଡ଼ିଯାଇଥିଲେ। ପରେ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍‌ ନେଇ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଉକ୍ତ ରାସ୍ତା ଦେଇ ଆସୁଥିବା ଦିଗପହଣ୍ଡି ବିଡିଓ ହଳଧର ଶବର ଗୁରୁତର ଆହତ ମହିଳାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ ସଦଳବଳ ଆନ୍ଧ୍ରବ୍ୟାଙ୍କରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଦମ୍ପତିଙ୍କ ବୟାନ ରେକର୍ଡ କରିଛନ୍ତି। ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Share