Categories: ଗଞ୍ଜାମ

ଦିଗପହଣ୍ଡି ସହରରେ କମିଲା ବିଜେଡିର ଭୋଟ

ଦିଗପହଣ୍ଡି,୨୭।୫(ଡି.ଏନ.ଏ.)-ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଲଗାତର ଭାବେ ୭ଥର ଏଠାରୁ ସୂର୍ଯ୍ୟନାରାୟଣ ପାତ୍ର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଚଳିତଥର ଦିଗପହଣ୍ଡି ଏନଏସିରେ ବିଜେଡିକୁ କମ୍‌ ଭୋଟ ମିଳିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଭୋଟ ଫଳାଫଳ ଆସିବା ପରେ ନିର୍ବାଚନ ଦାୟିତ୍ୱ ନେଇଥିବା ଦଳୀୟ କାର୍ଯ୍ୟକର୍ତ୍ତାବୃନ୍ଦ ବୁଥୱାରୀ ସମୀକ୍ଷା କରିବାରେ ଲାଗି ପଡ଼ିଛନ୍ତି। କେଉଁ ବୁଥରେ କିଭଳି ସ୍ଥିତିରେ ବିଜେଡିର ଭୋଟ ହାର କମିଲା, କିଏ ଓ କେଉଁ ଦଳୀୟ କାର୍ଯ୍ୟକର୍ତ୍ତା ଦଳ ପ୍ରତି ବିଶ୍ୱାସଘାତ କଲେ ତାହାକୁ ନେଇ କର୍ମୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।
ଚଳିତଥରର ଫଳାଫଳ ଅନୁଯାୟୀ, ଏନଏସିର ୩୪ନଂ ବୁଥରେ କଂଗ୍ରେସ ୩୧୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ୨୫୫ ଭୋଟ ପାଇଛି। ସେହିପରି ୩୬ନଂ ବୁଥରେ କଂଗ୍ରେସ ୧୯୮ ଓ ବିଜେଡି ୯୮, ୩୮ନଂ ବୁଥରେ କଂଗ୍ରେସ ୨୪୨ ଓ ବିଜେଡି ୧୬୦, ୩୯ନଂ ବୁଥରେ କଂଗ୍ରେସ ୧୬୮ ଓ ବିଜେଡି ୧୧୬ ଖଣ୍ଡ ଭୋଟ ପାଇଛି। ୪୦ନଂ ବୁଥରେ କଂଗ୍ରେସ ୩୨୭ ଓ ବିଜେଡି ୧୪୯, ୪୧ନଂ ବୁଥରେ କଂଗ୍ରେସ ୨୩୪ ଓ ବିଜେଡି ୧୨୭, ୪୨ନଂ ବୁଥରେ କଂଗ୍ରେସ ୪୩୯ ଓ ବିଜେଡି ୧୫୮, ୪୩ନଂ ବୁଥରେ କଂଗ୍ରେସ ୩୩୩ ଓ ବିଜେଡି ୨୭୩, ୪୪ନଂ ବୁଥରେ କଂଗ୍ରେସ ୨୭୪ ଓ ବିଜେଡି ୧୪୬ ଖଣ୍ଡ ଭୋଟ ହାସଲ କରିପାରିଛି । ୩୭ନଂ ବୁଥରେ ବିଜେଡି ୧୮୯ ଓ କଂଗ୍ରେସକୁ ୧୫୬ ଖଣ୍ଡ ଭୋଟ ମିଳିଛି। ଏନଏସି ଅଧିନ ୧୧ଟି ୱାର୍ଡରେ କଂଗ୍ରେସ ୨୭୯୮ ଭୋଟ ପାଇଥିବା ବେଳେ ବିଜେଡି ୧୮୯୬ ଏବଂ ଭାଜପା ୧୦୭୦ ଖଣ୍ଡ ଭୋଟ ପାଇଛି । ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳ ଭୋଟ ହ୍ରାସ ପାଇଥିବାରୁ ରାଜନୈତିକ ବିଶ୍ଲେଷକମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।