Categories: ଜାତୀୟ

ଦିଗ୍‌ବିଜୟଙ୍କ ପିଟିଶନ ଖାରଜ

ବେଙ୍ଗାଲୁରୁ,୧୯ା୩: ବେଙ୍ଗାଲୁରୁରେ ଥିବା ମଧ୍ୟପ୍ରଦେଶର ବିଦ୍ରୋହୀ କଂଗ୍ରେସ ବିଧାୟକମାନଙ୍କୁ ଭେଟିବା ଲାଗି ଅନୁମତି ଦେବାକୁ ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ଆବେଦନକୁ କର୍ନାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଇସ୍ତଫା ଦେଇଥିବା ୨୨ ବିଧାୟକ ବେଙ୍ଗାଲୁରୁର ଏକ ରିସର୍ଟରେ ରହିଥିବାବେଳେ ସେମାନଙ୍କୁ ଭେଟିବା ଲାଗି ବୁଧବାର ଦିଗ୍‌ବିଜୟ ସେଠାକୁ ଯାଇଥିଲେ। ଉକ୍ତ ବିଧାୟକମାନଙ୍କ ଅନୁରୋଧ କ୍ରମେ ସେମାନଙ୍କୁପୋଲିସ ସୁରକ୍ଷା ଯୋଗାଇଦେଉଥିବାରୁ ଦିଗ୍‌ବିଜୟଙ୍କୁ ଅଟକ ରଖିଥିଲା। ସେ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହୋଇଥିବାରୁ ଭୋଟ ପାଇଁ ବିଧାୟକମାନଙ୍କୁ ଭେଟିବା ଅଧିକାର ତାଙ୍କର ରହିଛି ବୋଲି ଦିଗ୍‌ବିଜୟ କହିଥିଲେ। ତେବେ ପୋଲିସ ଓ କର୍ନାଟକ ଭାଜପା ତାଙ୍କୁ ଭେଟିବାକୁ ଦେଇ ନ ଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଫଳରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପୂର୍ବରୁ ସେ କର୍ନାଟକ ପୋଲିସ ଡିଜି ପ୍ରବୀଣ ସୁଦ୍‌ ଏବଂ କଂଗ୍ରେସ ରାଜ୍ୟ ସଭାପତି ଡି.କେ. ଶିବକୁମାରଙ୍କୁ ଭେଟିଥିଲେ।

Share