Categories: ବାଣିଜ୍ୟ

ଦିନକରେ ୧୭ ହଜାର ଏଲ୍‌ଆଇସି ପଲିସି ବିକ୍ରି ରେକର୍ଡ

ନୂଆଦିଲ୍ଲୀ,୧୫-୧: ବଲିଉଡର ପ୍ରତିଷ୍ଠିତ ଅଭିନେତା ରାଜ କପୁରଙ୍କ ଝିଅ ରିତୁ ନନ୍ଦାଙ୍କର ମଙ୍ଗଳବାର ପରଲୋକ ହୋଇଛି। ରିତୁ ଏକ ସମୟରେ ଏଲ୍‌ଆଇସିର ଜଣେ ଶୀର୍ଷ ଏଜେଣ୍ଟ ରହିଥିବା ହୁଏତ ଅନେକଙ୍କୁ ଜଣାନଥିବ। ଗୋଟିଏ ଦିନରେ ଏଲ୍‌ଆଇସିର ୧୭ ହଜାର ପେନସନ ପଲିସି ବିକ୍ରି ରେକର୍ଡ ତାଙ୍କ ନାମରେ ରହିଥିଲା। ଏହି କ୍ଷେତ୍ରରେ ସେ କେତେ ସଫଳ ଥିଲେ ତାହା ଅନୁମାନ କରାଯାଇପାରେ। ରିତୁଙ୍କ ପରିବାର ସିନେମା ଶିଳ୍ପ ସହ ଜଡିତ ଥିବା ବେଳେ ସେ ନିଜେ ଭିନ୍ନ କ୍ୟାରିୟର ଚୟନ କରିଥିଲେ। ଏସ୍କର୍ଟ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରାଜନ ନନ୍ଦାଙ୍କ ସହ ତାଙ୍କର ବିବାହ ହୋଇଥିଲା। ରିତୁଙ୍କ ପୁଅ ନିଖିଲ ନନ୍ଦା ଅମିତାଭଙ୍କ ଝିଅଙ୍କୁ ବିବାହ କରିଛନ୍ତି। ରିତୁ କ୍ୟାରିୟର ଆରମ୍ଭରେ ବାଣିଜ୍ୟ କାରବାରକୁ ଓହ୍ଲାଇଥିଲେ। ମାତ୍ର ଏଥିରେ ସେ ବିଫଳ ହୋଇଥିଲେ। ଏହା ପରେ ସେ ବୀମା କ୍ଷେତ୍ରରେ ପାଦ ରଖିଥିଲେ। ଏହା ପରେ ସେ ଷ୍ଟାର ହୋଇ ଯାଇଥିଲେ। ସେ ରତୁ ନନ୍ଦା ଇନସ୍ୟୁରାନ୍ସ ସର୍ଭିସ ନାମରେ ଏକ କମ୍ପାନୀ ଖୋଲିଥିଲେ। ନ୍ୟୁଜ ଏଜେନ୍ସି ଆଇଏଏନ୍‌ଏସ୍‌ ରିପୋର୍ଟ ମୁତାବକ ଗୋଟିଏ ଦିନରେ ୧୭ ହଜାର ଇନସ୍ୟୁରାନ୍ସ ପଲିସି ବିକ୍ରି ରେକର୍ଡ ତାଙ୍କ ନାମରେ ରହିଛି। ଏହାବାଦ ସେ ଅନେକ ସଫଳତା ହାସଲ କରିଥିଲେ। ଏଲ୍‌ଆଇସି ପକ୍ଷରୁ ବେଷ୍ଟ ଇନସ୍ୟୁରାନ୍ସ ଆଡଭାଇଜର ଅଫ୍‌ ଦ ଡିକେଡ ଆଓ୍ବାର୍ଡ ମଧ୍ୟ ତାଙ୍କ ନାମରେ ରହିଛି।

Share