ଦିନକରେ ୧.୧ ଲକ୍ଷ ଜରିମାନା ଆଦାୟ

ଅନୁଗୋଳ ଅଫିସ୍‌, ୩।୩

ରାଜ୍ୟରେ ସଂଶୋଧିତ ମୋଟରଯାନ ନିୟମ କଡାକଡି ଲାଗୁ ହେବା ପରେ ପୋଲିସ ଓ ଆର୍‌ଟିଓ ପକ୍ଷରୁ ଜୋରଦାର ଧରପଗଡ ଚାଲିଛି। ଅନୁଗୋଳରେ ମଧ୍ୟ ଗାଡ଼ିମୋଟର ଯାଞ୍ଚ କଡାକଡି କରାଯାଇଛି। କେବଳ ରବିବାର ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜିଲାରୁ ପୋଲିସ ୧ ଲକ୍ଷ ୧୦ ହଜାର ନଗଦ ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡିଛି। ସେହିପରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲାରେ ଲକ୍ଷାଧିକ ଟଙ୍କା ଚାଲାଣ କଟାଯାଇଥିବା ସୂଚନା ମିଳିଛି।
ନୂତନ ମୋଟରଯାନ ଆଇନ-୨୦୧୯ ଲାଗୁ ହେବା ପରେ ଅନୁଗୋଳ ଜିଲାରୁ ଗତ ସେପ୍ଟେମ୍ବରରୁ ଚଳିତବର୍ଷ ଫେବୃୟାରୀ ମାସ ଶେଷ ସୁଦ୍ଧା ୧ କୋଟି ୫୦ ଲକ୍ଷ ୪୯ ହଜାର ୩୯୫ ଟଙ୍କା ଆଦାୟ ହୋଇଛି। ସେଥିରୁ ୮୬ ଜଣ ମଦ୍ୟପ ଗାଡ଼ିଚାଳକ, ୧୯୦ ଜଣ ଦ୍ରୁତଗତିରେ ଗାଡ଼ି ଚଲାଇ ଧରାପଡିଛନ୍ତି। ଏଥିସହ ୧୨୯ ଜଣ ଗାଡ଼ିଚାଳନା ସମୟରେ ମୋବାଇଲ ଫୋନ ବ୍ୟବହାର କରିଥିବାରୁ ସେମାନଙ୍କୁ ଧରା ଯାଇଛି। ହେଲମେଟ ପିନ୍ଧି ନ ଥିବା ୮୨୦ ଚାଳକ ଏବଂ ୧୧୫୩ ଜଣ ସିଟ୍‌ବେଲ୍ଟ ନ ଲଗାଇ ଧରାପଡ଼ିଛନ୍ତି। ସେହିପରି ଆର୍‌ଟିଓ ପକ୍ଷରୁ ରବିବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬୭ ହଜାର ଟଙ୍କା ଏବଂ ସୋମବାର ୧୪ ହଜାର ୩୫୦ ଟଙ୍କା ଜରିମାନା ସହ ବହୁ ଲୋକଙ୍କ ଭିସିଆର୍‌ କଟାଯାଇଥିବା ଆର୍‌ଟିଓ ଜିତେନ୍ଦ୍ର ଭୋଇ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅନୁଗୋଳ ପୋଲିସ ରବିବାର ରାତି ୧ଟା ସୁଦ୍ଧା ୨୦୪ ଜଣ ହେଲମେଟ ପିନ୍ଧି ନ ଥିବା ଚାଳକଙ୍କୁ ଧରି ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛି। ମଦ୍ୟପାନ କରି ଗାଡ଼ି ଚଳାଉଥିବା ୮ ଜଣ ଚାଳକଙ୍କର ଗାଡ଼ି ଜବତ ହୋଇଥିବା ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ସୋମବାର ଜିଲାର ୨୨ ଥାନା ଅଞ୍ଚଳରେ ଗାଡ଼ି ମୋଟର ଯାଞ୍ଚ ହେଉଥିଲେ ମଧ୍ୟ ମୋଟ କେତେ ଟଙ୍କା ଜାରିମାନା ଆଦାୟ ହୋଇଛି ତାହା ଖବର ଲେଖା ହେବା ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ।

Share