ଦିନକରେ ୪, ୧୬୮ ମୃତ

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୧୪।୪: ମହାମାରୀ କରୋନା ବିଶ୍ୱରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟିକରିଛି। ସୋମବାର ରାତି ୧୧ଟା ସୁଦ୍ଧା ୧,୧୮,୩୬୨ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୯,୦୩,୦୯୨ରେ ପହଞ୍ଚିଛି। ସବୁଠାରୁ ଆମେରିକା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବ୍ରିଟେନ ସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗିଛି। ଆମେରିକାରେ ମୃତ୍ୟୁସଂଖ୍ୟା ୨୨,୯୫୦ରେ ପହଞ୍ଚି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୫,୭୩,୮୨୭ ରହିଛି। ଏଠାରେ ଗୋଟିଏ ଦିନରେ ୧୩ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଥିବା ବେଳେ ୮୪୫ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ସ୍ପେନ୍‌ରେ ୧୭,୪୯୮ ଲୋକ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧,୬୯,୪୯୬ରେ ପହଞ୍ଚିଛି। ଇଟାଲୀରେ ୨୦, ୪୬୫ ମୁଣ୍ଡ ଯାଇଛି। ସଂକ୍ରମିତଙ୍କ ସଂଖ୍ୟା ଏଠାରେ ୧,୫୯,୫୧୬କୁ ବୃଦ୍ଧିପାଇଛି। ସେହିଭଳି ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୧,୩୬,୭୭୯କୁ ବଢ଼ିଛି। ଏହି ଦେଶରେ ମୃତକଙ୍କ ସଂଖ୍ୟା ୧୪,୯୬୭କୁ ବୃଦ୍ଧିପାଇଛି। ବ୍ରିଟେନରେ କିଛିଦିନ ହେବ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି। ଏଠାରେ ମୃତ୍ୟୁସଂଖ୍ୟା ବଢ଼ି ୧୧,୩୨୯ରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ଏଠାରେ ୮୮ ହଜାର ପାର୍‌ କରିଛି। ଗୋଟିଏ ଦିନରେ ଏଠାରେ ୭୧୭ ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪,୩୪୨। ଏଠାରେ ଭୂତାଣୁର ଦ୍ରୁତ କାୟାବିସ୍ତାର ଦେଖିବାକୁ ମିଳିଛି। ଏତଦ୍‌ବ୍ୟତୀତ ଜର୍ମାନୀରେ ୩,୦୩୮, ଚାଇନାରେ ୩,୩୪୧, ଇରାନରେ ୪,୫୮୫, ତୁର୍କୀରେ ୧,୨୯୬, ବେଲଜିୟମରେ ୩,୯୦୩, ନେଦରଲାଣ୍ଡ୍ସରେ ୨,୮୨୩ ବ୍ୟକ୍ତିି ପ୍ରାଣ ହରାଇଥିବା ଜଣାପଡ଼ିଛି।

Share