ଦିନକର ଦରମା ଦେବେ ସଚିିବାଳୟ କର୍ମଚାରୀ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ସଂଗ୍ରହ କରୁଛନ୍ତି। ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସିଧାସଳଖ ସହାୟତା ପ୍ରଦାନ କରୁଛନ୍ତି। ଏହି କ୍ରମରେ ଓଡ଼ିଶା ସଚିବାଳୟ ସେବା ସଂଘ(ଓସା)ର କର୍ମକର୍ତ୍ତାମାନେ ନିଜ ନିଜର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେବା ପାଇଁ ସ୍ଥିର କରିଛନ୍ତି। ସମସ୍ତେ ଏହି ନିଷ୍ପତ୍ତିକୁ ପାଳନ କରିବା ପାଇଁ ଓସା ପକ୍ଷରୁ ଚିତ୍ତରଞ୍ଜନ ହୋତା, ହରପ୍ରସାଦ ବିଶ୍ୱାଳ, ବିନୋଦ କୁମାର ସାହୁ, ଜ୍ୟୋତି ରଞ୍ଜନ ମିଶ୍ର ଏବଂ ବିବେକ ସାହୁ ପ୍ରମୁଖ ଅନ୍ୟମାନଙ୍କୁ ଅନୁରୋଧ କରିଛନ୍ତି। କର୍ମଚାରୀମାନେ ଶନିବାରଠାରୁ ଅନ୍‌ଲାଇନ ମାଧ୍ୟମରେ ନିଜ ନିଜର ଅଂଶ ପ୍ରଦାନ କରିବା ଆରମ୍ଭ କରିଛନ୍ତି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଧିକାଂଶ କାର୍ଯ୍ୟାଳୟକୁ ବନ୍ଦ କରିଛନ୍ତି। ସମସ୍ତ ଅଧିକାରୀ ଅଫିସ ନ ଆସିଲେ ବି ନିଜ ଦରମା ପାଇବେ ବୋଲି ଜଣାପଡିଛି। ଅପରପକ୍ଷରେ କରୋନା ଯୋଗୁ ରାଜସ୍ବ ସଂଗ୍ରହ ମଧ୍ୟ ହ୍ରାସ ପାଇଛି। ଅନ୍ୟାନ୍ୟ ବିଭାଗ ଅପେକ୍ଷା ଗୃହ ବିଭାଗ ଅଧିକ ସକ୍ରିୟ ରହିଛି। ବିଭାଗ ପକ୍ଷରୁ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଏଥିରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ସବୁଦିନ ଆସିବାକୁ କୁହାଯାଇଛି। କେତେକ ବିଭାଗ କର୍ମଚାରୀ ରୋଷ୍ଟର ମାଧ୍ୟମରେ ଡ୍ୟୁଟି କରୁଛନ୍ତି। ସେହିଭଳି ଏହି ସମୟରେ ସଚିବାଳୟରେ କର୍ତ୍ତବ୍ୟ ସମ୍ପାଦନ ପାଇଁ ଆସୁଥିବା କର୍ମଚାରୀଙ୍କୁ ମାସ୍କ, ସାନିଟାଇଜର ଯୋଗାଯାଉ ବୋଲି ଦାବି କରାଯାଇଛି। ସେହିପରି ସେମାନେ ବସୁଥିବା ସ୍ଥାନକୁ ନିୟମିତ ବିଶୋଧନ ପାଇଁ କର୍ମଚାରୀମାନେ ଅନୁରୋଧ କରିଛନ୍ତି।

Share