ନୂଆଦିଲ୍ଲୀ,୧୩।୯: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍ଏସ୍ଏସ୍)ର ପ୍ରଚାରକ ଇନ୍ଦ୍ରେଶ କୁମାର ଶୁକ୍ରବାର ପାକିସ୍ତାନକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ପାକିସ୍ତାନ ଦିଦକୁ ଦିନ ଦୁର୍ବଳ ହେବାରେ ଲାଗିଛି। ବିଭାଜନ ପରେ ପାକିସ୍ତାନର ସୃଷ୍ଟି ହୋଇଥିଲା। ଏହାପରେ ୧୯୭୧ରେ ଏହାର ବିଭାଜନ ହୋଇଥିଲା। ଏବେ ଏହା ୫-୬ ଭାଗରେ ବିଭକ୍ତ ହୋଇ ଗଲାଣି। ପସ୍ତୁନିସ୍ତାନ, ବଲୁଚିସ୍ତାନ, ସିନ୍ଧ ପାକିସ୍ତାନରୁ ଅଲଗା ହେବାକୁ ଚାହୁଁଛି। ତେଣୁ ଆଉ କିଛିଦିନ ପରେ ବିଶ୍ୱ ମାନଚିତ୍ରରେ ପାକିସ୍ତାନ ହୁଏତ ନ ଥିବ ବୋଲି ମୋର ବିଶ୍ୱାସ ହେଉଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏକ ପ୍ରକାର ବିଚଳିତ ହୋଇଯାଇଛି। ହେଲେ ଏବେବି ପାକିସ୍ତାନର ମନ୍ତ୍ରୀ କହିଲେଣି କଶ୍ମୀର ଭାରତର। ଆଉ ଏପଟେ ଭାରତ କହୁଛି ଏବେ କେବଳ ପାକ୍ ଅଧିକୃତ କଶ୍ମୀର(ପିଓକେ)କୁ ନେଇ ପାକିସ୍ତାନ ସହ କଥା ହେବାକୁ ସେ ପ୍ରସ୍ତୁତ।