Categories: ଜାତୀୟ

ଦିନକ ପୂର୍ବରୁ ବନ୍ଦ ହେଲା ଚାଇନାରୁ ଆସିଥିବା ବରଙ୍କ ବିବାହ

ଥିରୁଭାନନ୍ଥମପୁରମ୍‌,୫।୨: ସାରା ବିଶ୍ୱରେ କରୋନାଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ଚାଇନାରେ ଏହାର ମୃତ୍ୟୁ ସଂଖ୍ୟା ୪୯୦କୁ ଛୁଇଁଛି। ଆଉ ୨୪ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଭଳି ସ୍ଥିତିରେ ଚାଇନାକୁ ଯିବା ଓ ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଇତିମଧ୍ୟରେ ୨ସପ୍ତାହ ପୂର୍ବରୁ ବିବାହ ପାଇଁ ଚାଇନାରୁ ଭାରତକୁ ଆସିଥିବା ଜଣେ ଯୁବକଙ୍କ ବିବାହ ଦିନକ ପୂର୍ବରୁ ବନ୍ଦ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କେରଳ କଦାନଗଡେ ପଞ୍ଚାୟତରେ ରହୁଥିବା ଜଣେ ଯୁବକ ଚାଇନାର ଉହାନରେ ଜଣେ ଆକାଉଟାଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି। ଜାନୁୟାରୀ ୧୯ରେ ସେ ବିବାହ ପାଇଁ ଭାରତକୁ ଫେରିଥିଲେ। ଫେବୃୟାରୀ ୪ରେ ତାଙ୍କର ବିବାହ ଅନୁଷ୍ଠିତ ହେବାର ଥିଲା। ହେଲେ ଦିନକ ପୂର୍ବରୁ ଅର୍ଥାତ୍‌ ଫେବୃୟାରୀ ୩ରେ ସ୍ବାସ୍ଥ୍ୟ ଅଧିକାରୀ ତାଙ୍କ ଘରେ ପହଞ୍ଚି ବିବାହକୁ ସ୍ଥଗିତ ରଖିଥିଲେ। ଏଥିସହ ୨୮ ଦିନ ପର୍ଯ୍ୟନ୍ତ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ। ସୂଚନା ମୁତାବକ ଯୁବକଙ୍କ ବିବାହ ନେଇ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦିନକ ପୂର୍ବରୁ ଖବର ମିଳିଥିଲା। ଏହାପରେ ସେ ତୁରନ୍ତ ଏନେଇ ଜିଲା ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଇଥିଲେ। ତେବେ ସମସ୍ତ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଏହି ବିବାହ ବନ୍ଦ କରାଯାଇଥିଲା। କାରଣ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସ୍ବାସ୍ଥ୍ୟ ସମ୍ପର୍କୀତ ବିଧି ବ୍ୟବସ୍ଥାକୁ ନଜରରେ ରଖି ଯୁବକ ଜଣକ ବିବାହ କରିପାରିବେ ନାହିଁ ବୋଲି ଉକ୍ତ ଅଧିକାରୀ କହିଥିଲେ। ସରକାରଙ୍କ ଏହି ନୟମ ଅନୁସାରେ ଚାଇନାରୁ ଫେରିଥିବା ପ୍ରତ୍ୟେକ ବ୍ୟକ୍ତି ନିଜର ସମସ୍ତ ସୂଚନା ସ୍ବାସ୍ଥା୍ୟ ଅଧିକାରୀଙ୍କୁ ଦେବା ସହ ୨୮ ଦିନ ପର୍ଯ୍ୟନ୍ତ ଘରେ ରହିବାକୁ ବାଧ୍ୟ।

Share