Categories: ଖେଳ

ଦିନଥିଲା ଗୁପ୍‌ଚୁପ ବିକୁଥିଲେ, ଆଜି ଭାରତକୁ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚାଇଲେ ଏହି ଖେଳାଳି

ପୋଚେଫଷ୍ଟ୍ରୁମ,୫।୧: ପୁଣି ବିଶ୍ୱକପରେ ପାକିସ୍ତାନକୁ ଧରାଶାୟୀ କରିଛି ଭାରତ। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଦୁଇ ଓପନର ଯଶସ୍ବୀ ଜଶୱାଲଙ୍କ ଶତକ ଓ ଦିବ୍ୟାଂଶ ସାକ୍ସେନାଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୦ ଉଇକେଟରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଅଣ୍ଡର୍‌-୧୯ ବିଶ୍ୱକପର ଫାଇନାଲ ପ୍ରବେଶ କରିଛି। ଜବରଦସ୍ତ ଫର୍ମରେ ଥିବା ୧୮ ବର୍ଷୀୟ ଯଶସ୍ବୀ ନିଜର ପ୍ରଥମ ବିଶ୍ୱକପ୍‌ ଶତକ ମାରିଛନ୍ତି। ସେ ୧୧୩ ବଲରେ ୮ ଚୌକା ଓ ୪ ଛକା ସହ ୧୦୫ ରନ୍‌ କରିଛନ୍ତି। ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯଶସ୍ବୀଙ୍କ କାହାଣୀ ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା। ଖୁବ କମ ବୟସରୁ କ୍ରିକେଟ ଖେଳିବାର ସ୍ବପ୍ନ ନେଇ ଘର ଛାଡି ଉତ୍ତର ପ୍ରଦେଶରୁ ମୁମ୍ବାଇ ଚାଲିଆସିଥିଲେ। ଏଠାରେ ଦାଦାଙ୍କ ଭଡା ଘରେ ରହି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ମାସକୁ ମାସ ତାଙ୍କ ବାପା କିଛି ଟଙ୍କା ପଠାନ୍ତି। କିନ୍ତୁ ସେଥିରେ ଟ୍ରେନିଂ ନେବା ସମ୍ଭବ ନ ଥିଲା। ଆଜାଦ ମୈଦାନରେ ରାମଲୀଳା ଚାଲିଥିବାବେଳେ ସେଠାରେ ଗୁପଚୁପ ବିକ୍ରି କରୁଥିଲେ ଯଶସ୍ବୀ। ଏଥିରେ ଯାହା କିଛି ଲାଭ ମିଳୁଥିଲା ସେଥିରେ କ୍ରିକେଟ ଟ୍ରେନିଂ ନେବା ଆରମ୍ଭ କଲେ। ସେଠାରେ କୋଚ ଜ୍ୱାଲା ସିଂଙ୍କ ସହ ଭେଟ ହୋଇଥିଲା। ଏହାପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଯାଇଥିଲା। କ୍ରିକେଟରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିଚାଲିଲେ। ଯଶସ୍ବୀଙ୍କର ଭାରତୀୟ ଅଣ୍ଡର-୧୯ ଦଳ ପାଇଁ ଚୟନ ହୋଇଥିଲା।

Share