ଦିନରେ ଆର୍‌ଟିଓ, ରାତିରେ ପୋଲିସ

ଅନୁଗୋଳ ଅଫିସ୍‌, ୨।୩: ୬ ମାସର କୋହଳ ପରେ ମାର୍ଚ୍ଚ ୧ରୁ ରାଜ୍ୟରେ କଡାକଡ଼ି ଲାଗୁ ହୋଇଛି ସଂଶୋଧିତ ମୋଟରଯାନ ଆଇନ। ଏ ନେଇ ରବିବାର ପୋଲିସ ଓ ଆରଟିଓ ପକ୍ଷରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି କରାଯାଇଛି। ତେବେ ଅନୁଗୋଳରେ ଦିନତମାମ ଆର୍‌ଟିଓ ପକ୍ଷରୁ ଯାଞ୍ଚ କରାଯାଇ ଥିବାବେଳେ ପୋଲିସ ରାତିରେ ଧରପଗଡ଼ କରିଛି। ପୋଲିସ ଓ ଆର୍‌ଟିଓ ଅଫିସ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚେକିଂ କରାଯାଇ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ ସହ ବହୁ ଗାଡ଼ିର ଭିସିଆର୍‌ (ଭେଇକିଲ ଚେକ୍‌ ରିପୋର୍ଟ) କଟାଯାଇଥିବା ସୂଚନା ମିଳିଛି।
କଡ଼ାକଡ଼ି ହୋଇଥିବା ନିୟମକୁ ନେଇ ରବିବାର ସକାଳୁ ହିଁ ସହର ଓ ସହର ମଧ୍ୟରେ ଯାଇଥିବା ରାଜପଥରେ ଚଳାଚଳ କରୁଥିବା ଗାଡ଼ି ଚାଳକମାନେ ସତର୍କ ହୋଇଯାଇଥିଲେ। କିନ୍ତୁ ଦିନବେଳା ରାସ୍ତାରେ ପୋଲିସର ଦେଖା ନ ଥିଲା। ପରିବହନ କାର୍ଯ୍ୟାଳୟର କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଚେକିଂ କରିଥିଲେ। ତେବେ ରାତିରେ ଅନୁଗୋଳ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଜିଲାରେ ଥିବା ୨୨ଟି ଥାନା ପକ୍ଷରୁ ୨୫ଟି ସ୍ଥାନରେ ଗୋଟିଏ ଲେଖାଏଁ ଟିମ୍‌ ରହି ଗାଡ଼ି ମୋଟର ଯାଞ୍ଚ କରିଥିଲେ। ବିଶେଷକରି ମଦ୍ୟପାନ କରି ଗାଡ଼ି ଚାଳନା, ବାଇକ୍‌ରେ ତିନି ଜଣ ବସିବା, ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଅଟକାଯାଇ ଜରିମାନା ଆଦାୟ ହୋଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଯାଞ୍ଚ ଚାଲିଥିବା ଅନୁଗୋଳ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ରାତି ୯ଟା ସୁଦ୍ଧା ରିପୋର୍ଟ ଅନୁଯାୟୀ ପୋଲିସ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରିଛି। ସେହିପରି ଆରଟିଓ ପକ୍ଷରୁ ୬୭ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ଲକ୍ଷାଧିକ ଟଙ୍କାର ଭିସିଆର୍‌ ମଧ୍ୟ କଟାଯାଇଛି।