Categories: ଗଞ୍ଜାମ

ଦିନରେ ଗରମ, ଅପରାହ୍ନରେ ଝଡ଼ତୋଫାନ

ଭଞ୍ଜନଗର,୧।୬(ଡି.ଏନ.ଏ.)-ଶୁକ୍ରବାର ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୪୨ ଡ଼ିଗ୍ରୀ ଥିଲା। ପ୍ରବଳ ଗରମ ଯୋଗୁ ମଧ୍ୟାହ୍ନରେ ରାସ୍ତାଘାଟ ଶୁନଶାନ୍‌ ହୋଇପଡ଼ିଥିଲା। ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡୁଥିବାବେଳେ ଲୋ ଭୋଲଟେଜ୍‌ ଯୋଗୁ ଏସି ମଧ୍ୟ ଦିନବେଳେ ଠିକ୍‌ ଭାବେ ଚାଲୁନାହିଁ। ଅପରପେକ୍ଷ ବିଗତ କିଛିଦିନ ହେବ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଝଡ଼ତୋଫାନ ଆସୁଛି। ଶୁକ୍ରବାର ମଧ୍ୟ ଝଡ଼ତୋଫାନ ହୋଇଥିଲା। ଏହାର ପ୍ରଭାବରେ କେତକ ଅଞ୍ଚଳରେ ବର୍ଷା ହୋଇଛି। ଅପରାହ୍ନରେ ପାଗ ବଦଳିବା ପରେ ଲୋକେ ଗରମରୁ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରୁଛନ୍ତି। ଗରମକୁ ଦେଖି ରୋଟାରୀ କ୍ଲବ ପକ୍ଷରୁ କିଛିଦିନ ପୂର୍ବେ ଲେପୋର୍ସି କଲୋନୀରେ ପଙ୍ଖା ବଣ୍ଟନ କରାଯାଇଥିଲା। ଶୁକ୍ରବାର ମଧ୍ୟ କ୍ଲବ ପକ୍ଷରୁ ଥାନା ସମ୍ମୁଖରେ ଥଣ୍ଡା ପାନୀୟ ଜଳ ମେଶିନ ସ୍ଥାପନ କରାଯାଇଥିଲା। ଥାନା ଏବଂ ତହସିଲ ଅଫିସ, ବସ୍‌ଷ୍ଟାଣ୍ଡକୁ ଆସୁଥିତ୍ବା ଯାତ୍ରୀମାନେ ୨୪ ଘଣ୍ଟିଆ ପାଣି ସୁବିଧା ପାଇପାରିବେ। ଆମ ପୋଲିସି ସମିତି ଓ ଆନ୍ଧ୍ରବ୍ୟାଙ୍କ ଏଥିରେ ସହାୟତା ପ୍ରଦାନ କରିଥିଲେ। ଆମ ପୋଲିସ ସମିତି ଏହାର ବାର୍ଷିକ ରକ୍ଷାଣବେକ୍ଷଣ ଦାୟିତ୍ୱ ନେବ। ଆୟୋଜିତ ଉତ୍ସବରେ ଏସ୍‌ଡ଼ିପିଓ ଶୁଭ୍ରାଶୁଂ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥଣ୍ଡା ପାନୀୟ ଜଳ ମେଶିନର ଉଦ୍‌ଘାଟନ କରିଥିଲେ। ରୋଟାରୀ କ୍ଲବ ସଭାପତି ରବୀନ୍ଦ୍ର ନାଥ ପାଣିଗ୍ରାହୀ, ସମ୍ପାଦକ ବସନ୍ତ ପାତ୍ର, ଥାନା ଅଧିକାରୀ ସୁଦୀପ୍ତ ସାହୁ, ଆନ୍ଧ୍ରବ୍ୟାଙ୍କ ପରିଚାଳକ ଅଜୟ କୁମାର ଗୁପ୍ତା, ଶିକ୍ଷକ ନେତା ଜଗବନ୍ଧୁ ଜେନା, ଆମ ପୋଲିସି ସମିତି ସଭ୍ୟ କୃତିବାସ ବିଶ୍ୱାଳ, ଅନୁପମ ବାନାର୍ଜି, ଶୁଳପାଣି ଶତପଥୀ, ବିଶ୍ୱଜିତ୍‌ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।