ଦିନରେ ସମ୍ଭାଳୁଛନ୍ତି ବ୍ୟବସାୟ, ରାତିରେ ଗାୟକ: ୪୫ ବର୍ଷରେ ୫ ହଜାର ମଞ୍ଚ

(ଦୀନେଶ ଦେହୁରୀ)
ବନ୍ତଳା,୨୩ା୫: ଦିନରେ ମା’ଙ୍କ ବ୍ୟବସାୟକୁ ବଢ଼ାଉଛନ୍ତି ଆଗକୁ। ଆଉ ରାତିରେ ଜାମାଯୋଡ ହୋଇ ଚାମର ଧରି ଗାୟକ, ପାଳିଆଙ୍କ ସାଥେ ଓହ୍ଲାଉଛନ୍ତି ମଞ୍ଚକୁ। ଦୀର୍ଘ ୪୫ ବର୍ଷ ମଧ୍ୟରେ ୫ ହଜାରରୁ ଅଧିକ ସ୍ଥାନରେ ପାଲା ପରିବେଷଣ କରିସାରିଲେଣି ଗାୟକ ସୁରେଶ ସାହୁ (୬୯)। ୭ଶହ ବାଦୀପାଲାରେ ସେ ଅଂଶଗ୍ରହଣ କରିଥିବା ବେଳେ ୧୯ଥର ରେଡିଓ ଓ ୬ଥର ଟିଭିରେ ନିଜ କଳା ପ୍ରଦର୍ଶନ କରି ସାଉଣ୍ଟିଛନ୍ତି ଅନେକ ପ୍ରଶଂସା ଓ ପ୍ରମାଣପତ୍ର।
ବାପା ପ୍ରାଣବନ୍ଧୁ ସାହୁଙ୍କ କଳାରେ ବଳିୟାନ ଗାୟକ ସୁରେଶଙ୍କ ଘର ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମରେ। ମାତ୍ର ୫ ବର୍ଷ ବୟସରେ ସେ ହରାଇଥିଲେ ବାପାଙ୍କୁ। ଗଁାରେ ଛୋଟ ଜଳଖିଆ ଦୋକାନ କରିଥିବା ମା’ ରାଧିକା ୪ ପିଲାଙ୍କ ପେଟକୁ ଦାନା ଦେବାରେ ସମର୍ଥ ହୋଇଥିଲେ ହେଁ ଅଧିକ ପାଠ ପଢ଼ାଇ ପାରି ନ ଥିଲେ କାହାକୁ। ସବୁଠୁ ସାନ ସୁରେଶ ଏମ୍‌.ଇ. ସ୍କୁଲ ପର୍ଯ୍ୟନ୍ତ ଯାଇପାରିଥିଲେ। ପରେ ମାମୁଙ୍କ ସହାୟତା ଯୋଗୁ ୧୯୬୮ରେ ସେ ଏକାଦଶ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାଭିତରେ ମା’ଙ୍କଠାରୁ ଜଳଖିଆ ପ୍ରସ୍ତୁତି କାର୍ଯ୍ୟ ସମ୍ପୂର୍ଣ୍ଣ ଶିଖି ନେବା ସହ ବ୍ୟବସାୟକୁ ମଧ୍ୟ ଆଦରି ନେଇଥିଲେ। ହେଲେ ତାଙ୍କ କଣ୍ଠ ସ୍ବର ଭଲ ହୋଇଥିବାରୁ ସ୍କୁଲ ଶିକ୍ଷକ ଓ ସାଙ୍ଗମାନେ ବାପାଙ୍କ ପରି ପାଲା ଗାଇବାକୁ ତାଙ୍କୁ ପରାମର୍ଶ ଦେଇଥିଲେ। ତାହାକୁ ମଧ୍ୟ ଗ୍ରହଣ କରି ନେଇଥିଲେ ସୁରେଶ। ବାପାଙ୍କ ଚାମର, ବହି, ଗିନିକୁ ମା’ଙ୍କଠାରୁ ନେଇ ୧୯୭୩ରେ ଅନୁଗୋଳର ପାଲା ଗାୟକ ପାଇଛା ନନ୍ଦ ନାଥଙ୍କୁ ଗୁରୁ କରି ସେ ପାଲା ଶିଖିବା ଆରମ୍ଭ କରିଥିଲେ। ପରେ ଜଗତସିଂହପୁର ଜିଲା କୁଜଙ୍ଗ ବାଘୁଆଠେଙ୍ଗର ନିଶାକର ଷଡଙ୍ଗୀ, ନୟାଗଡ଼ ଜିଲା ସାଲୁଣିର ଗୋବର୍ଦ୍ଧନ ବେହେରାଙ୍କ ନିକଟରେ ମଧ୍ୟ କାମ କଲେ। ଗାୟକ ବିଦ୍ୟାରେ ପାରଙ୍ଗମ ହେବା ପରେ ୧୯୭୪ରେ ସେ ନିଜେ ଓହ୍ଲାଇଥିଲେ ମଞ୍ଚକୁ। ୧୯୭୭ରେ ବିବାହ ତାଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ କରାଇଥିଲା। ତେଣୁ ୧୯୮୧ରେ ସେ ମା’ଙ୍କ ଜଳଖିଆ ଦୋକାନ ସମ୍ଭାଳିଲେ। ଦିନତମାମ ଦୋକାନରେ ଜଳଖିଆ ପ୍ରସ୍ତୁତି ଓ ବିକ୍ରି ସହ ରାତିରେ ନିମନ୍ତ୍ରଣ ଅନୁଯାୟୀ ବିଭିନ୍ନ ଗଁାରେ ପାଲା ପରିବେଷଣ କଲେ। ପ୍ରଥମେ ପାଲାରୁ ମାତ୍ର ୩୦ ଟଙ୍କା ମିଳୁଥିଲା। ହେଲେ ଏବେ ୭ ହଜାରରୁ ଅଧିକ ଟଙ୍କା ସେ ପାଇପାରୁଛନ୍ତି। ୭୦୦ରୁ ଊଦ୍ଧର୍‌ବ ବାଦ ମଞ୍ଚ, ୫୦୦୦ରୁ ଅଧିକ ମଞ୍ଚ, ୧୯ ଥର ରେଡିଓ ଏବଂ ୬ଥର ଟିଭିରେ ପାଲା ପରିବେଷଣ କରିସାରିଛନ୍ତି। ଜିଲା ଓ ରାଜ୍ୟସ୍ତରରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ସମ୍ବଲପୁରରେ ପାଲା ପରିବେଷଣ ବେଳେ ଗାୟକ ସ୍ବରଶ୍ରେଷ୍ଠ ଓ ଅନୁଗୋଳରେ ତାଙ୍କୁ ଗାୟକ ଭୂଷଣ ଉପାଧିରେ ଭୂଷିତ କରାଯାଇଛି। ଶ୍ରୀ ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ପରିଷଦ ଓଡ଼ିଶା ତରଫରୁ ରାଜ୍ୟସ୍ତରୀୟ ମାନପତ୍ର ଦିଆଯାଇଛି। ଅନୁଗୋଳ ସଂଘ ତରଫରୁ ୨୦ ଥର ମାନପତ୍ର ପାଇଛନ୍ତି। ୫୫୦ରୁ ଊଦ୍ଧର୍‌ବ ସରକାରୀ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇ ସେ ଗ୍ରାମାଞ୍ଚଳର ଲୋକଙ୍କୁ ସଚେତନ କରିଆସିଛନ୍ତି। ୯ ବର୍ଷ ହେଲା ମାସିକ ୧୨ ଶହ ଟଙ୍କା କଳାକାର ଭତ୍ତା ଆକାରରେ ପାଉଛନ୍ତି। ଦୁଇ ପୁଅ ଓ ଗୋଟିଏ ଝିଅର ବିବାହ ଦେଇସାରିଥିଲେ ବି ବ୍ୟବସାୟ କି ପାଲା ପରିବେଷଣରେ ଏଯାଏ ପୂର୍ଣ୍ଣଚ୍ଛେଦ ଟାଣି ନାହାନ୍ତି ସେ। ଜୀବନ ଥିବା ଯାଏ ପରିବାରର ଏହି ପରମ୍ପରାକୁ ସେ ଆଗେଇ ନେବେ ବୋଲି କହିଛନ୍ତି ସୁରେଶ।