Categories: ଖେଳ

ଦିନିକିଆରୁ ଅବସର ନେଇ ପାରନ୍ତି ଧୋନୀ: ଶାସ୍ତ୍ରୀ

ନୂଆଦିଲ୍ଲୀ, ୯।୧- ଭାରତୀୟ କ୍ରିକେଟ୍‌ ଦଳର ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ କ୍ୟାରିୟରକୁ ନେଇ ନାନା ଆଲୋଚନା ଚାଲିଛି। ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ରେ ଧୋନୀ ଶେଷଥର ପାଇଁ ଭାରତୀୟ ଜର୍ସିରେ ନଜର ଆସିଥିଲେ। ଏହାପରେ ସେ କ୍ରିକେଟରୁ ଏକପ୍ରକାର ଦୂରେଇ ଯାଇଛନ୍ତି। ଭାରତର ଏହି ପୂର୍ବତନ ସଫଳ ଅଧିନାୟକ ପୁଣିଥରେ କେବେ କ୍ରିକେଟ୍‌ ମୈଦାନକୁ ପ୍ରତ୍ୟାବର୍ତ୍ତନ କରିବେ ସେନେଇ କୌଣସି ସଠିକ୍‌ ତଥ୍ୟ ନାହିଁ। କିନ୍ତୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଗୁରୁବାର ଧୋନୀଙ୍କ ଭବିଷ୍ୟତକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ନିକଟ ଭବିଷ୍ୟତରେ ଧୋନୀ ଦିନିକିଆରୁ ଅବସର ଘୋଷଣା କରିପାରନ୍ତି ବୋଲି ଶାସ୍ତ୍ରୀ ଏକ ସାକ୍ଷାତ୍‌କାର ଅବସରରେ ଏହିଭଳି କିଛି ସୂଚନା ଦେଇଛନ୍ତି। ‘ଧୋନୀଙ୍କ ସହିତ ମୋର ଆଲୋଚନା ହୋଇଛି। ଲମ୍ବା ସମୟ ଧରି କ୍ରିକେଟ୍‌ ଖେଳୁଛନ୍ତି। ପୂର୍ବରୁ ସେ ଟେଷ୍ଟରୁ ଅବସର ନେଇସାରିଛନ୍ତି। ଖୁବ୍‌ ଶୀଘ୍ର ସେ ଦିନିକିଆ କ୍ରିକେଟ୍‌କୁ ଅଲ୍‌ବିଦା କହିପାରନ୍ତି। ମୋତେ ଲାଗୁଛି କି, ତାଙ୍କର ଏହି ବୟସରେ ଟି୨୦ ହେଉଛି ଏପରି ଏକ ଫର୍ମାଟ୍‌ ଯେଉଁଥିରେ ସେ ଖେଳ ଜାରି ରଖିପାରିବେ। ଏହାର ଅର୍ଥ ତାଙ୍କୁ ଏବେ ଖେଳ ଆରମ୍ଭ କରିବାକୁ ପଡ଼ିବ। ଯଦି ଆଇପିଏଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରନ୍ତି ତେବେ ଏହି ଫର୍ମାଟ୍‌ରେ ସେ ଖେଳ ଜାରି ରଖିପାରିବେ’ ବୋଲି ଶାସ୍ତ୍ରୀ କହିଛନ୍ତି। ଶାସ୍ତ୍ରୀଙ୍କ ଏହି ମତରୁ ଧୋନୀ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦଳରେ ସାମିଲ ହେବାନେଇ ସମ୍ଭାବନା ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ଧୋନୀଙ୍କ ଅବସର ନେଇ ଚାରିଆଡ଼ୁ ଆଲୋଚନା ହେଉଥିଲେ ମଧ୍ୟ ସେ ନିଜେ ବର୍ତ୍ତମାନ ସୁଦ୍ଧା ଏ ବିଷୟରେ ବିଧିବଦ୍ଧ ଭାବେ କିଛି ଘୋଷଣା କରିନାହାନ୍ତି।

Share