ଦିନିକିଆରୁ ମଲିକଙ୍କ ଅବସର

କରାଚୀ,୬।୭- ଭେଟେରାନ ପାକିସ୍ତାନ ଅଲରାଉଣ୍ଡର ଶୋଏବ ମଲିକ ଅନ୍ତର୍ଜାତୀୟ ଦିନିକିଆର ଅବସର ନେଇଛନ୍ତି। ଲଡର୍‌ସଠାରେ ପାକିସ୍ତାନ ତା’ର ଅନ୍ତିମ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇବା ପରେ ମଲିକ ଏହି ଘୋଷଣା କରିଛନ୍ତି। ଅନ୍ତିମ ଲିଗ୍‌ ମ୍ୟାଚ୍‌କୁ ୯୪ ରନ୍‌ରେ ଜିତିବା ସତ୍ତ୍ୱେ ଦଳ ସେମିଫାଇନାଲରେ ପ୍ରବେଶ କରିପାରି ନାହିଁ। ମୁଁ ଅନ୍ତର୍ଜାତୀୟ ଦିନିକିଆରୁ ଅବସର ଘୋଷଣା କରୁଛି। ମୋ ସହ ଖେଳିଥିବା ସମସ୍ତ ଖେଳାଳି, କୋଚ, ଟ୍ରେନର, ପରିବାର, ବନ୍ଧୁ ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶଂସକଙ୍କୁ ଧନ୍ୟବାଦ ବୋଲି ମଲିକ ଟୁଇଟ୍‌ କରିଛନ୍ତି। କ୍ରିକେଟ ବିଶ୍ୱକପ୍‌ର ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି। ଏଥିରେ ମଲିକଙ୍କୁ ସାଥୀ ଖେଳାଳି ଗାର୍ଡ ଅଫ୍‌ ଅନର ଦେଉଛନ୍ତି। ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌ ୩୭ ବର୍ଷୀୟ କ୍ରିକେଟରଙ୍କ ଅନ୍ତିମ ଦିନିକିଆ ଥିଲା। ସେ ୨୮୭ ମ୍ୟାଚ୍‌ ଖେଳି ୩୪.୫୫ ଆଭରେଜରେ ୭,୫୩୪ ରନ୍‌ କରିଛନ୍ତି। ତାଙ୍କ କ୍ୟାରିୟରରେ ୯ ଶତକ ଓ ୩୩ ଅର୍ଦ୍ଧଶତକ ରହିଛି। ସେ ୧୫୮ ଉଇକେଟ ଅକ୍ତିଆର କରିଛନ୍ତି। ଏ ନେଇ ମଲିକଙ୍କୁ ସାଥୀ ଖେଳାଳି ଓ ପୂର୍ବତନ ପାକିସ୍ତାନ ଖେଳାଳି ଶୁଭେଚ୍ଛା ଦେଇଛନ୍ତି।

Share