Categories: ଖେଳ

ଦିନିକିଆ ଅଧିନାୟକ ପଦ ଛାଡ଼ିଲେ ମୋର୍ତାଜା

ସିଏହେଟ୍‌, ୫।୩ (ଏଏଫ୍‌ପି)- ବରିଷ୍ଠ ବାଂଲାଦେଶ ଦ୍ରୁତ ବୋଲର ମାଶ୍ରାଫି ମୋର୍ତାଜା ଗୁରୁବାର ଦିନିକିଆ ଅଧିନାୟକ ପଦ ଛାଡ଼ିଛନ୍ତି। ଶୁକ୍ରବାର ଜିମ୍ବାଓ୍ବେ ବିପକ୍ଷରେ ଖେଳାଯିବାକୁ ଥିବା ଅନ୍ତିମ ଦିନିକିଆ ଅଧିନାୟକ ଭାବେ ମୋର ଶେଷ ମ୍ୟାଚ୍‌ ହେବ। ତେବେ ଜଣେ ଖେଳାଳି ଭାବେ ମନୋନୟନ ପାଇଁ ଉପଲବ୍ଧ ରହିବି। କିନ୍ତୁ ୨୦୨୩ ବିଶ୍ୱକପ୍‌ ପୂର୍ବରୁ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ରହିଥିବାରୁ ଚୟନକର୍ତ୍ତାମାନେ ଚାପରେ ରହିଛନ୍ତି ବୋଲି ବାଂଲାଦେଶ ପାର୍ଲାମେଣ୍ଟର ଜଣେ ସଦସ୍ୟ ଥିବା ୩୬ ବର୍ଷୀୟ ଏହି ଡାହାଣହାତୀ ବୋଲର କହିଛନ୍ତି। ଏତେ ବର୍ଷ ଧରି ମୋ ଉପରେ ଭରସା କରିଥିବାରୁ ବାଂଲାଦେଶ କ୍ରିକେଟ୍‌ ବୋର୍ଡକୁ ଧନ୍ୟବାଦ ଦେବି। ଯଦି ମୋତେ ଭବିଷ୍ୟତରେ ସୁଯୋଗ ମିଳେ ତେବେ ଖେଳାଳି ଭାବେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବି ବୋଲି ମୋର୍ତାଜା କହିଛନ୍ତି। ଏଥିସହିତ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଅନ୍ତ ଘଟିଛି ବୋଲି ଚର୍ଚ୍ଚା ହେଉଛି। ଗତ ଆଇସିସି ବିଶ୍ୱକପ୍‌ ପରଠାରୁ ମୋର୍ତାଜା କୌଣସି ଏକଦିବସୀୟ ମ୍ୟାଚ୍‌ ଖେଳି ନାହାନ୍ତି। ଜିମ୍ବାଓ୍ବେ ବିପକ୍ଷ ଚଳିତ ସିରିଜରେ ଖେଳିବାକୁ ସୁଯୋଗ ପାଇ ସେ ୨ ମ୍ୟାଚ୍‌ରୁ ୩ ଉଇକେଟ୍‌ ହାସଲ କରିଛନ୍ତି। ବାଂଲାଦେଶ ଉଭୟ ମ୍ୟାଚ୍‌ ଜିତି ସିରିଜକୁ ଆଗୁଆ କବ୍‌ଜା କରିସାରିଛନ୍ତି। ପୂର୍ବରୁ ବାଂଲାଦେଶ କ୍ରିକେଟ୍‌ ବୋର୍ଡର ବାର୍ଷିକ ଖେଳାଳି ଚୁକ୍ତିରୁ ତାଙ୍କୁ ବାଦ୍‌ ଦିଆଯାଇଛି।

Share