Categories: ଖେଳ

ଦିନିକିଆ ସିରିଜ କବ୍‌ଜା କଲା ଓ୍ବେଷ୍ଟଇଣ୍ଡିଜ

ଲକ୍ଷ୍ନୌ, ୧୦।୧୧- ଆଫଗାନିସ୍ତାନ ବିପକ୍ଷରେ ଏଠାରେ ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ୪୭ ରନରେ ବିଜୟ ଲାଭ କରିଛି। ଏଥିସହିତ କିରନ ପୋଲାର୍ଡଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜ ୩ ମ୍ୟାଚ୍‌ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍‌ଜା କରିନେଇଛି। ପୂର୍ବରୁ ସିରିଜର ପ୍ରଥମ ମ୍ୟାଚ୍‌କୁ ଘରୋଇ ଆଫଗାନିସ୍ତାନ ୭ ଉଇକେଟ୍‌ରେ ହାରିଥିଲା। ଅନ୍ତିମ ତଥା ୩ୟ ମ୍ୟାଚ୍‌ ସୋମବାର ଏଠାରେ ଖେଳାଯିବ।
ସ୍ଥାନୀୟ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍‌ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୨୪୮ ରନର ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ ୪୫.୪ ଓଭରରେ ୨୦୦ ରନରେ ଅଲ୍‌ଆଉଟ୍‌ ହୋଇଥିଲା। ଘରୋଇ ଦଳ ପକ୍ଷରୁ ହଜରାତୁଲ୍ଲା ଜାଜାଇ ୨୩, ରହମତ ଶାହ ୩୩, ନାଜିବୁଲା ଜର୍ଡାନ ୫୬ ଓ ମହମ୍ମଦ ନବି ୩୨ ରନ କରିଥିଲେ। ଅଧିନାୟକ ରଶିଦ ଖାଁ (୨ ରନ) ବିଫଳ ହୋଇଥିଲେ। ବିଜୟୀ ଓ୍ବେଷ୍ଟଇଣ୍ଡିଜ ଦଳର ଶେଲଡନ କୋର୍ଟେଲ, ରୋଷ୍ଟନ ଚେଜ୍‌ ଓ ହେଡେନ ଓ୍ବାଲ୍ସ ୩ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଏଥିପୂର୍ବରୁ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଓ୍ବେଷ୍ଟଇଣ୍ଡିଜ ସାଇ ହୋପ୍‌ (୪୭), ଏଭିନ ଲୁଇସ (୫୪) ଓ ଉଇକେଟ୍‌କିପର ନିକୋଲାସ ପୁରାନ (୬୭)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଦଳ ୫୦ ଓଭରରେ ୯ ଉଇକେଟ୍‌ ହରାଇ ୨୪୭ ରନ କରିଥିଲା। ଉଲ୍ଲେଖଯୋଗ୍ୟ, ଏହି ସିରିଜ ଲାଗି ଆଫଗାନିସ୍ତାନ ଲକ୍ଷ୍ନୌର ଉକ୍ତ ଷ୍ଟାଡିୟମକୁ ଘରୋଇ ଭେନ୍ୟୁ ଭାବେ ଚୟନ କରିଛି।

Share