Categories: ଖେଳ

ଦିନିକିଆ ସିରିଜ: ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ

ହାମିଲଟନ,୪।୨(ପି.ଟି.)- ନ୍ୟୁଜିଲାଣ୍ଡ ଓ ଭ୍ରମଣକାରୀ ଭାରତ ମଧ୍ୟରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ। ସ୍ଥାନୀୟ ସେଡନ ପାର୍କରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଆଘାତ ସମସ୍ୟା ଜର୍ଜରିତ ଭାରତ ଏହି ମ୍ୟାଚ୍‌ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଟି୨୦ ସିରିଜରେ ଭାରତ ୫-୦ରେ କ୍ଲିନ୍‌ ସୁଇପ୍‌ କରି ଆତ୍ମ ବିଶ୍ୱାସ ଦୃଢ଼ କରିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ଟି୨୦ ସିରିଜର ତ୍ରୁଟି ସୁଧାରି ଦିନିକିଆରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି।

ଆଘାତ ସମସ୍ୟାରୁ ମୁକୁଳିଥିବା ଯୁବ ଓପନର ପୃଥ୍ବୀ ଶ ଓ ମୟଙ୍କ ଅଗ୍ରଓ୍ବାଲ ଇନିଂସ ଓପନ କରିବେ ବୋଲି ଅଧିନାୟକ ବିରାଟ କୋହଲି ସୂଚନା ଦେଇଛନ୍ତି। ରୋହିତ ଶର୍ମା, ଶିଖର ଧାଓ୍ବନ ଆହତ ହୋଇଥିବାରୁ ମୟଙ୍କ ଓ ପୃଥ୍ବୀଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଗତବର୍ଷ ଅନୁଷ୍ଠିତ ହୋଇଥିବା ଦିନିକିଆ ବିଶ୍ୱକପ୍‌ ପରେ ଭାରତ ତୃତୀୟ ଦିନିକିଆ ସିରିଜ ଖେଳିବାକୁ ଯାଉଛି। ଏହାପୂର୍ବରୁ ଭାରତ ବିଦେଶରେ ଓ୍ବେଷ୍ଟଇଣ୍ଡିଜ ଓ ଘରୋଇ ପରିବେଶରେ ଅଷ୍ଟ୍ରେଲିଆକୁ ଭେଟିଥିଲା। ଅନ୍ୟପଟେ ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ଫାଇନାଲ ବିପର୍ଯୟ ପରେ ପ୍ରଥମଥର ପାଇଁ ଦିନିକିଆ ସିରିଜ ଖେଳିବାକୁ ଯାଉଛି। ଶେଷଥର ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ମାଞ୍ଚେଷ୍ଟରରେ ବିଶ୍ୱକପ୍‌ ସେମିଫାଇନାଲରେ ପରସ୍ପରକୁ ଭେଟିଥିଲେ। ଏଥିରେ ନ୍ୟୁଜିଲାଣ୍ଡ ୧୮ ରନରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା।
ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଉଭୟ ଦଳ ପ୍ରସ୍ତୁତି ଚାଲୁ ରଖିଛନ୍ତି। ତେଣୁ ବିଭିନ୍ନ ଦୃଷ୍ଟିକୋଣରୁ ଦିନିକିଆ ଓ ଆଗାମୀ ଟେଷ୍ଟ ସିରିଜ ଉଭୟ ଦଳ ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି। ଏହି ମ୍ୟାଚ୍‌ରେ ଇଞ୍ଜୁରି କାରଣରୁ ଦୁଇ ଦଳ ସେମାନଙ୍କ ଶ୍ରେଷ୍ଠ ଦଳ ଖେଳାଇବ ନାହିଁ। ରୋହିତ ଶର୍ମା ଅନ୍ତିମ ଟି୨୦ରେ ଆହତ ହୋଇଥିଲେ। କାଫ୍‌ ଇଞ୍ଜୁରି ପାଇଁ ସେ ସିରିଜୁ ବାଦ୍‌ ପଡିଛନ୍ତି। ପୂର୍ବରୁ ଶିଖର ଧାଓ୍ବନ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଦୀପକ ଚହର ଇଞ୍ଜୁରି କାରଣରୁ ଦଳରୁ ବାଦ୍‌ ପଡିଛନ୍ତି। ସେହିପରି ନୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଟ୍ରେଣ୍ଟ ବୋଲ୍ଟ ମଧ୍ୟ ଆହତ ହୋଇଛନ୍ତି।

ରୋହିତଙ୍କ ବଦଳ ଖେଳାଳି ଭାବେ ମୟଙ୍କ ଅଗ୍ରଓ୍ବାଲ ଦଳରେ ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ରାଜକୋଟ ଦିନିକିଆରେ ଯେଉଁ ରଣନୀତି ଅବଲମ୍ବନ କରାଯାଇଥିଲା ତାହାକୁ ଅନୁସରଣ କରାଯିବ ବୋଲି କୋହଲି କହିଛନ୍ତି। ତେଣୁ ଲୋକେଶ ରାହୁଲ ଉଇକେଟକିପିଂ କରିବେ ଓ ୫ ନମ୍ବରରେ ବ୍ୟାଟିଂ କରିବା ନିଶ୍ଚିତ ମନେ ହେଉଛି। ପୃଥ୍ବୀ ଓ ମୟଙ୍କ ଦିନିକିଆରେ ଓପନର ଭାବେ ଡେବ୍ୟୁ କରିବା ମଧ୍ୟ ସ୍ପଷ୍ଟ ହୋଇଛି। ଶେଷଥର ପାଇଁ ୨୦୧୬ରେ ଏହି ଭଲି ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଜିମ୍ବାଓ୍ବେ ଗସ୍ତରେ ରାହୁଲ ଓ କରୁନ ନାୟାର ଭାରତ ପାଇଁ ଇନିସଂ ଓପନ କରିବା ସହ ଦିନିକିଆ ପଦାର୍ପଣ ମଧ୍ୟ କରିଥିଲେ। ସେହିପରି ୧୯୭୪ରେ ସୁନୀଲ ଗାଭାସ୍କର ଓ ସୁଧୀର ନାୟକ ଇଂଲଣ୍ଡ ବିପକ୍ଷରେ, ୧୯୭୬ରେ ପାର୍ଥସାରଥି ଶର୍ମା ଓ ଦିଲୀପ ଭେଙ୍କସରକାର ନ୍ୟୁଜିଲାଣ୍ଡ ବିପକ୍ଷରେ ଓପନ୍‌ କରିବା ସହ ଦିନିକିଆ ପଦାର୍ପଣ କରିଥିଲେ। କୋହଲି ପୂର୍ବପରି ୩ ନମ୍ବରରେ ଓ ଶ୍ରେୟାସ ଆୟାର ୪ ନମ୍ବରରେ ବ୍ୟାଟିଂ କରିବେ।

Share