ଦିନେ ଥିଲା ସବୁଜ ବନାନୀ, ଆଜି ଶ୍ରୀହୀନ: ବିତିଗଲା ୫ବର୍ଷ, ଲାଗିପାରିଲାନି ଗଛଟିଏ

ଖଇରା, ୧୩।୯-ବାଲେଶ୍ୱର ଜିଲାର ୨ ପ୍ରମୁଖ ବ୍ଲକ ଖଇରା ଓ ସୋରକୁ ସଂଯୋଗ କରୁଥିବା ସୋର-କୁପାରୀ ରାଜ୍ୟ ରାଜପଥର ଦୁଇ ପାର୍ଶ୍ୱରୁ ଗଛ କଟାଯିବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗୋଟିଏ ବି ଗଛ ଲାଗି ପାରିଲାନି। ଦିନେ ସବୁଜ ବନାନୀରେ ଶୋଭା ପାଉଥିବା ରାସ୍ତାକଡ ଆଜି ଶ୍ରୀହୀନ ହୋଇପଡିଛି। ଯାତ୍ରୀଟିଏ ଖରା ସମୟରେ ଆଶ୍ରୟ ନେବାକୁ ଗଛଟିଏ ପାଉନାହିଁ ା ତୁରନ୍ତ ଗଛ ଲଗାଇବା ପ୍ରକ୍ରିୟା ଆରମ୍ଭ କରା ନ ଗଲେ ସ୍ଥାନୀୟ ଅଞ୍ଚଳର ଲୋକେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ା
ଅନନ୍ତପୁରରୁ ଭାୟା ସୋର ଦେଇ କୁପାରୀ ପର୍ଯ୍ୟନ୍ତ ରାସ୍ତା ରାଜ୍ୟ ରାଜପଥର ମାନ୍ୟତା ପାଇବା ପରେ ୨୦୧୩-୧୪ମସିହାରେ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। ଏଥିପାଇଁ ୮୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା। ସମ୍ପ୍ରସାରଣ ସମୟରେ ରାସ୍ତା କଡରେ ଥିବା ୧୭୩ଟି ଗଛକୁ ବନ ଉନ୍ନୟନ ନିଗମ ଠିକା ସଂସ୍ଥା ମାଧ୍ୟମରେ ଗଛ କାଟିନେଇଥିଲା। ଏହି ଗଛ କାଟିବାକୁ ୩ମାସ ଲାଗିଥିଲା ା ନିୟମ ଅନୁଯାୟୀ ଗୋଟିଏ କଟା ଗଛ ବଦଳରେ ୧୦ଟି ନୂଆଗଛ ଲଗାଯିବା କଥା ଅର୍ଥାତ ୧୭୩୦ଟି ଗଛ ଲାଗିବା କଥା। ଏଥିସହ ପୂର୍ତ୍ତ ବିଭାଗ ପକ୍ଷରୁ ଗଛ କାଟିବାକୁ ୨୧ଲକ୍ଷ ୧୮ହଜାର ୮୩୭ଟଙ୍କା ପ୍ରଦାନ ଓ ନୂଆ ଗଛ ଲଗାଇବାକୁ ୨୫ଲକ୍ଷ ୭୭ହଜାର ୮୮୦ଟଙ୍କା ବନ ନିଗମ ପାଖରେ ଜମା କରାଯାଇଛି ା ୫ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଗଛ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇପାରିନ। ଏ କ୍ଷେତ୍ରରେ ଜଙ୍ଗଲ ବିଭାଗର କଚ୍ଛପ ଗତି ଦୁଃଖ ଦାୟକ ବୋଲି ବିଶିଷ୍ଟ ପରିବେଶବିତ୍‌ ପୂର୍ଣ୍ଣଚନ୍ଦ୍ର ସେଣ୍ଡ କହିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ହରିଶ ଦ୍ୱାରିଙ୍କୁ ପଚରାଯିବାରୁ ସେ କହିଛନ୍ତି, ରାସ୍ତା କଡରେ କିଛି ଗଛ ଲାଗିଛି ା କାର୍ଯ୍ୟକୁ ତ୍ୱରାନ୍ବିତ ପାଇଁ ବନ ବିଭାଗକୁ ଜଣାଇବେ। ବନ ଉନ୍ନୟନ ନିଗମର ଉପଖଣ୍ଡ ପରିଚାଳକ ଆଦିତ୍ୟ କୁମାର ସେଠୀଙ୍କୁ ଯୋଗାଯୋଗ କରାଯିବାରୁ ଏ ବିଷୟରେ ବୁଝି ଜଣାଇବେ ବୋଲି କହିଛନ୍ତି ା

(ଉତ୍କଳବନ୍ଧୁ ପଣ୍ଡା)